Wed. Jan 15th, 2025

କଠୋର ହେଉଛି କଟକଣା : ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଛଡ଼ା ସବୁ ଦୋକାନ ବନ୍ଦ

By amfnews Mar 21, 2020 #Featured
164 Views

ଭୁବନେଶ୍ବର : ରାଜଧାନୀ‌ରେ ଆଉ ଜଣେ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ପୁଣି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଏମସି ଅଧୀନରେ ଆସୁଥିବା ଅଞ୍ଚଳରେ କେବଳ ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ‌ଷ୍ଟୋର୍‌ ବନ୍ଦ କରିବାକୁ ନିର୍ଦେଶ ଜାରି ହୋଇଛି। ବିଶେଷକରି ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିବା ରେସ୍ତୋରାଁ, ବାର୍‌, କଫି ସପ୍‌, କ୍ୟାଣ୍ଟିନ ଓ ଅନ୍ୟ ଖାଦ୍ୟ ଷ୍ଟୋରଗୁଡ଼ିକ ବନ୍ଦ କରିବା ବାଧ୍ୟତାମୂଳକ ବୋଲି ବିଏମସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶ ମୁତାବକ, ସମସ୍ତ ବଜାର, ସପିଂ କମ୍ପ୍ଲେକ୍ସ, ଗାଁ ହାଟରେ କେବଳ ଖାଦ୍ୟ ସାମଗ୍ରୀ ଯଥା ଗ୍ରୋସରି, ପରିବା, ମାଂସ, ଚିକେନ, ଅଣ୍ଡା ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହୋଇପାରିବ। ଏତଦ୍‌ବ୍ୟତୀତ ବିଏମ୍‌ସି ପରିସରରେ ଆସୁଥିବା କୌଣସି ପ୍ରକାର ଦୋକାନ, ସୋ’ ରୁମ୍‌, ଗୋଦାମ ଆସନ୍ତା ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଫଳସ୍ବରୂପ ସମସ୍ତ ଜୁଏଲାରି ସୋ’ ରୁମ୍‌ ଓ ଦୋକାନ, ଇଲେକ୍ଟ୍ରୋନିକ ଆପ୍ଲିଆନ୍ସ ସୋ’ ରୁମ୍‌ ଓ ଦୋକାନ, ୪ ଚକିଆ, ଅଟୋ ମୋବାଇଲ୍‌, ବାଇ ସାଇକେଲ ସୋରୁମ୍, କ୍ରୀଡ଼ା ସାମଗ୍ରୀ ସୋ’ରୁମ, ଫର୍ଣ୍ଣିଚର୍‌ ତଥା ଆସବାବପତ୍ର ସୋ’ରୁମ ଓ ଗୋଦାମ, ଜୋତା ଓ ବ୍ୟାଗ ସୋ’ରୁମ୍‌, ମାର୍ବଲ, ଟାଇଲ୍‌ ଗୋଦାମ, ଘଣ୍ଟା ସୋରୁମ୍‌ ଓ ଦୋକାନ, ହୋମ ପେଣ୍ଟସ ତଥା ଘର ରଙ୍ଗ ଦୋକାନ ଓ ଗୋଦାମ, ବହି ଓ ପତ୍ରିକା ଷ୍ଟୋର୍‌, ଉପହାର ଓ ନିମନ୍ତ୍ରଣ କାର୍ଡ ଷ୍ଟୋର୍‌ ଆଦି ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି।

ବିଭିନ୍ନ ଜୋନ୍‌ରେ ଥିବା ଜୋନାଲ ଡେପୁଟି କମିସନର୍‌ମାନେ ଏହି ଷ୍ଟୋର୍‌, ଦୋକାନ, ଗୋଦାମଗୁଡ଼ିକ ବନ୍ଦ ରହୁଛି ନା ନାହିଁ, ତା’ର ତଦାରଖ କରିବେ। ଯଦି ନିର୍ଦ୍ଦେଶ ପାଳନ ନକରି କେହି ଦୋକାନ/ସୋ’ରୁମ୍‌ ଖୋଲିବେ, ତେବେ ସମ୍ପୃକ୍ତ ଦୋକାନ, ଦୋକାନର ନାମ, କେଉଁ ପ୍ରକାର ଦୋକାନ, ତାହା ଖୋଲାଯିବା କେତେ ଦରକାରୀ ଏବଂ ସେଠାରେ କେତେ ଲୋକଙ୍କ ସମାଗମ ହେଉଛି, ସେ ସମ୍ପର୍କରେ ଜୋନାଲ ଡେପୁଟି କମିସନରମାନେ ରିପୋର୍ଟ ଦେବେ। ଏଥିସହ ଯେଉଁମାନେ ଗ୍ରୋସରି, ପରିବା, ମାଂସ, ଚିକେନ୍‌, ଅଣ୍ଡା ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଛନ୍ତି, ସେହି ଦୋକାନୀ, କର୍ମଚାରୀମାନେ ଯେପରି ଗ୍ରାହକଙ୍କଠାରୁ ୨ମିଟର ଦୂରତା ବଜାୟ ରଖି ବିକାକିଣା କରିବେ ସେ ଦିଗରେ ଧ୍ୟାନ ଦେବେ। ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ଦୂରତା ତଥା ନିୟମାବଳୀ ପାଳନ ଉପରେ ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

By amfnews

Related Post