Sat. Mar 7th, 2026

କଏଦୀ ଗୁମର ଖୋଲିବା ପରେ କାର୍ଯ୍ୟାନୁଷ୍ଠାନ, ଜେଲ୍ ଅଧୀକ୍ଷକଙ୍କ ବଦଳି, ଦୁଇ ୱାର୍ଡର ନିଲମ୍ବିତ

276 Views

କାଳିଆପାଣି : ‘କଏଦୀ ଖୋଲିଦେଲା ଜେଲ୍ ଗୁମର’ ଶୀର୍ଷକ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ଜେଲ୍ ବିଭାଗ ଅତିରିକ୍ତ ମହାନିର୍ଦେଶକ(ଏଡିଜି) ମହେନ୍ଦ୍ର ପ୍ରତାପ ଉକ୍ତ ଘଟଣାକୁ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି। ଏଡିଜିଙ୍କ ନିର୍ଦେଶରେ ଜେଲ୍ ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁଙ୍କୁ କୋରାପୁଟ ବଦଳି କରାଯାଇଛି। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ କରଞ୍ଜିଆ ଛାଡ଼ିବାକୁ ନିର୍ଦେଶ ଦିଆଯିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ୱାର୍ଡରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ପୁନଶ୍ଚ ଜେଲ୍ ପରିସରରେ ଦୀର୍ଘଦିନରୁ ଜାରି ରହିଥିବା ବିଭିନ୍ନ ଅନିୟମିତତାର ତଦନ୍ତ ପାଇଁ କରଞ୍ଜିଆ ଏସଡିପିଓ ନାରାୟଣ ନାୟକଙ୍କୁ ଦାୟିତ୍ବ ଦିଆଯାଇଛି। ଯାହାକି ଜେଲ୍ ଅଧୀକ୍ଷକ ଶ୍ରୀ ମୁର୍ମୁଙ୍କ ପାଇଁ ଅଧିକ ଅଡ଼ୁଆ ସୃଷ୍ଟି କରିଛି। ଜେଲ୍ ସିସିଟିଭିକୁ ଯାଞ୍ଚ୍ କରାଯାଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ନିର୍ଦ୍ଦିଷ୍ଟ କିଛି କ୍ୟାମେରାକୁ ଏଠି ବନ୍ଦ୍ କରାଯାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ କାଳିଆପାଣିରେ ୨୦୧୦ ମସିହାରେ ଘଟିଥିବା ଏକ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା କଏଦୀ ଭଗବାନ ଟୁଡ଼ୁ(୪୯) ଗତ ୧୬ ତାରିଖ କରଞ୍ଜିଆ ଜେଲରୁ ଫେରାର୍ ହୋଇଯାଇଥିଲା। ଏହାର ୯ ଦିନ ପରେ ଅଭିଯୁକ୍ତ ଭଗବାନକୁ କାଳିଆପାଣିସ୍ଥିତ ତା’ ଗାଁ ପାଖରୁ କାଳିଆପାଣି ପୁଲିସ ଗିରଫ କରିଥିଲା। ଫେରାର ହେବାର ତିନିଦିନ ପରେ କରଞ୍ଜିଆ ଜେଲ୍ ଅଧୀକ୍ଷକ ଲକ୍ଷ୍ମୀଧର ମୁର୍ମୁ ଏକ ବିବାଦୀୟ ପରିସ୍ଥିତିରେ ଗତ ୧୯ ତାରିଖ ଥାନାରେ ଏତଲା ଦେଇଥିଲେ। ୱାର୍ଡର ସୁକାନ୍ତ ବେହେରାଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ନିଖୋଜ ଏବଂ ପକେଟରୁ ମିଳିଥିବା ସୁଇସାଇଡାଲ୍ ନୋଟ୍ ଆଧାରରେ ଜେଲ୍ ଅଧୀକ୍ଷକ ଶ୍ରୀ ମୁର୍ମୁଙ୍କୁ ଦାୟୀ କରି ଏକ ମାମଲା ଦାଏର କରିଥିଲେ। ଏହାପରେ ଜେଲର କଏଦୀ ଫେରାର୍ ସଂପର୍କରେ ଏତଲା ଦାଏର କରିବାକୁ ବାଧ୍ୟ ହୋଇଥିଲେ। ଏହାପରେ ଗତ ୨୪ ତାରିଖ ବାଙ୍ଗିରିପୋଷି ମୁଣ୍ଡାକଟା ଶାଳ ଜଙ୍ଗଲରୁ ୱାର୍ଡର ସ୍ବର୍ଗତ ବେହେରାଙ୍କ ଗଳିତ ମୃତଦେହ ଠାବ କରାଯାଇଥିଲା। କରଞ୍ଜିଆ ପୁଲିସ୍ ଏ ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛି। ଏଥିରେ ଜେଲ୍ ଅଧୀକ୍ଷକଙ୍କ ଭୂମିକା ଅତ୍ୟନ୍ତ ବିବାଦୀୟ ବୋଲି ପୁଲିସ କହିଛି।

By amfnews

Related Post