ଭୋପାଳ, ଅକ୍ଟୋବର ୧୫: ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରବିବାର ପୁଣି ଥରେ ସମାଲୋଚନା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମାଲୋଚନା କରି ଶାହ କହିଛନ୍ତି, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳରେ ସେନାପତି ନାହାନ୍ତି । ମଧ୍ୟପ୍ରଦେଶର ହୋସଙ୍ଗାବାଦସ୍ଥିତ ଗୁପ୍ତା ପଡ଼ିଆରେ ହୋସଙ୍ଗାବାଦ-ଭୋପାଳ ମଣ୍ଡଳ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ରାଜା, ମହାରାଜା ଓ ଶିଳ୍ପପତିଙ୍କ ଦଳ । କଂଗ୍ରେସ ପାଖରେ ସେନାପତି ନାହିଁ । କଂଗ୍ରେସ କହୁ ତାଙ୍କ ପାଖରେ କେଉଁ ନେତା ଅଛି, ଯାହାଙ୍କ ବଳରେ ନିର୍ବାଚନ ଲଢୁଛି । ବିଜେପି ନେତାଙ୍କ ନାମ ସମସ୍ତଙ୍କୁ ଜଣା ଅଛି ।
ଶାହ ଦେଶରେ ଅନୁପ୍ରବେଶକାରୀଙ୍କ ପ୍ରବେଶ ଉପରେ କହିଛନ୍ତି, ବିଜେପି ପାଇଁ ଭୋଟ ବ୍ୟାଙ୍କ ବଡ଼ କଥା ନୁହେଁ, ବିଜେପି ପାଇଁ ଦେଶ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କଂଗ୍ରେସ ଦେଶର ସୁରକ୍ଷା ସହିତ ଖେଳୁଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିକୁ ମଧ୍ୟପ୍ରଦେଶ ଆସି କହିବା ଦରକାର ଯେ, ଅନୁପ୍ରବେଶକାରୀଙ୍କୁ ନେଇ ତାଙ୍କ ଦୃଷ୍ଟିକୋଣ କ’ଣ ରହିଛି । ରାଜ୍ୟସଭାରେ ଅନୁପ୍ରବେଶକାରୀ ମାମଲା ଆସିବା ପରେ କଂଗ୍ରେସ ଓ ଅନ୍ୟ ଦଳ ନେତା ଏମିତି କାନ୍ଦୁଥିଲେ ଯେ, ତାଙ୍କର ଭବିଷ୍ୟତ କ’ଣ ହେବ ।
ଶାହ ଆଗକୁ କହିଛନ୍ତି, ବିଜେପି ନେତାଙ୍କ ଦଳ ନୁହେଁ, ବରଂ କର୍ମକର୍ତ୍ତାଙ୍କ ପାର୍ଟି । ବର୍ଷ ୧୯୮୨ରେ ବୁଥ ଅଧ୍ୟକ୍ଷ ହୋଇଥିଲି ଓ ଏବେ ଦଳର ଅଧ୍ୟକ୍ଷ ହୋଇଥିଲି । ଜଣେ ଚା’ ବିକାଳିଙ୍କ ପୁଅ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଏହା ଏମିତି ଦଳ, ଯେଉଁଠାରେ ପରିବାର ନୁହେଁ, ବରଂ କର୍ମକର୍ତ୍ତା ନେତୃତ୍ୱ କରିଥାଏ । ଶାହ ବିଳମ୍ବରେ ପହଞ୍ଚି ଥିବାରୁ ଭୁଲ ମାଗିଥିଲେ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ଯେ, ମଧ୍ୟପ୍ରଦେଶରେ ଏଭଳି ବିଜୟ ଦିଅନ୍ତୁ, ଯାହାକି ଅନ୍ୟ ରାଜ୍ୟର ଲୋକେ ମଧ୍ୟ ବିଜେପିକୁ ଭୋଟ ଦେବେ ।