ନୂଆଦିଲ୍ଲୀ, ଡିସେମ୍ବର ୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କଡ଼ାସୁରକ୍ଷା ମଧ୍ୟରେ ମଙ୍ଗଳବାର ମତଗଣନା ଆରମ୍ଭ ହୋଇଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଭାରତୀୟ ଜନତା ପାର୍ଟି ତୁଳନାରେ କଂଗ୍ରେସ ୫ଟି ଯାକ ରାଜ୍ୟରେ ଆଗୁଆ ରହିଛି । ଫଳରେ କଂଗ୍ରେସ କର୍ମକର୍ତ୍ତମାନେ ଦଳୀୟ କାର୍ଯ୍ୟାଳୟକୁ ବାଣଫୋଟକା ନେଇ ପହଞ୍ଚିଛନ୍ତି । ସେମାନେ କେବଳ ଫଳାଫଳକୁ ଅପେକ୍ଷା କରିଛନ୍ତି ।
ରାଜସ୍ଥାନ କଂଗ୍ରେସ କାର୍ଯ୍ୟାଳୟକୁ ଦଳୀୟମାନେ ଆଜି ସକାଳୁ ବାଣ ଫୋଟକା ନେଇ ପହଞ୍ଚିଛନ୍ତି । ବରିଷ୍ଠ ନେତା ସଚିନ ପାଇଲଟଙ୍କ ଘର ସମ୍ମୁଖରେ ଦଳୀୟ ନେତାମାନେ ଏକ ପ୍ରକାର ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ଆଉ ମାତ୍ର କେଇ ଘଣ୍ଟା ପରେ ବିଧାନସଭା ନିର୍ବାଚନ ଫଳାଫଳ ଏକ ପ୍ରକାରର ସ୍ୱଷ୍ଟ ହୋଇଯିବ କିନ୍ତୁ ତା’ ପୂର୍ବରୁ କଂଗ୍ରେସ କର୍ମକର୍ତ୍ତାମାନେ ଦୃଢ଼ ଆଶା କରିଛନ୍ତି, ତାଙ୍କ ଦଳ ଚଳିତ ବିଧାନସଭା ନିର୍ବାଚନରେ ବିଜୟୀ ହେବ । ରାଜସ୍ଥାନରେ ୨୦୦ ବିଧାନସଭା ଆସନରୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୯୧ଟିରେ କଂଗ୍ରେସ, ୭୩ଟିରେ ବିଜେପି, ଅନ୍ୟ ଦଳମାନେ ୮ଟି ରେ ଆଗୁଆ ଅଛନ୍ତି ।
ମତଗଣନା ଜାରି ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଦିଗ ବିଜୟ ସିଂହ କହିଛନ୍ତି, ମଧ୍ୟାହ୍ନ ୧୨ଟା ପରେ ନିର୍ବାଚନ ଫଳାଫଳ ଉପରେ କୁହାଯାଇ ପାରିବ । ବର୍ତ୍ତମାନ ମତଦାନ ଫଳାଫଳ ଧିରେ ଧିରେ ବାହାରକୁ ଆସୁଛି । ମୁଁ ସୁନିଶ୍ଚିତ ଭାବରେ କହି ପାରିବି ଯେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ି । ସେହିଭଳି ଛତିଶଗଡ଼ ଓ ରାଜସ୍ଥାନରେ ମଧ୍ୟ ମତଦାନ ଆମ ସପକ୍ଷରେ ଆସିବ ।