294 Views
ଭୋପାଳ, ଡିସେମ୍ବର ୧୪ : ଏକଦା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତୃତୀୟ ପୁତ୍ର କୁହାଯାଉଥିବା କମଲନାଥଙ୍କୁ କଂଗ୍ରେସ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରିଛି । କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ସହିତ କଂଗ୍ରେସ ପାର୍ଟରେ ଦୀର୍ଘ ୩ ଦିନ ମଧ୍ୟରେ ଦେଖାଯାଇଥିବା ଦ୍ୱନ୍ଦ୍ୱ ଶେଷ ହୋଇଛି ।
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କିଏ ହେବେ, ଏନେଇ ଶେଷ ନିଷ୍ପତ୍ତି ହୋଇ ନପାରିବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଓ ପ୍ରଚାର ସମିତି ମୁଖ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଦିଲ୍ଲୀ ଯାଇଥିଲେ । ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ରାତି ୧୦ଟାରେ ଭୋପାଳ ଫେରିଥିଲେ । ଏହା ପରେ ବିଧାୟକ ଦଳର ବୈଠକ ବସିଥିଲା ଏବଂ ବୈଠକରେ ସର୍ବସମ୍ମତି କ୍ରରେ କମଲନାଥଙ୍କୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ନେଇ ମଙ୍ଗଳବାର ଠାରୁ ଟଣାଓଟରା ଚାଲିଥିଲା । ପ୍ରଥମେ ଭୋପାଳ ଠାରେ ପର୍ଯ୍ୟବେକ୍ଷକଙ୍କ ବହୁ ସମୟ ଆଲୋଚନା ବିଫଳ ହେବା ପରେ କମଲନାଥ ଏବଂ ଜ୍ୟୋତିରାଦିତ୍ୟଙ୍କୁ ରାହୁଲ ଗାନ୍ଧୀ ଦିଲ୍ଲୀ ଡାକିଥିଲେ । ଦିଲ୍ଲୀରେ ତିନି ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ବୈଠକରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ସ୍ଥିର ହୋଇଯାଇଥିଲା । ବୈଠକ ପରେ ରାହୁଲଙ୍କ ଘର ବାହାରେ କମଲନାଥ ଏବଂ ସିନ୍ଧିଆ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ପଦ ଭୋପାଳରେ ଘୋଷଣା ହେବ ।