Sat. Dec 28th, 2024

ଓଡ଼ିଶା ରାଜସ୍ୱ ସେବା ସଂଘର କାର୍ଯ୍ୟକାରିଣୀ ବୈଠକ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା

By amfnews Jun 11, 2018 #Featured
248 Views

ତା ୧୧/୬ (ଭୁବନେଶ୍ୱର) : ଓଡ଼ିଶା ରାଜସ୍ୱ ସେବା ସଂଘର ଏକ ଜରୁରୀ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପୁରନ୍ଦର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଗତ ୨୮ ମାର୍ଚ୍ଚ, ୨୦୧୮ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବଙ୍କ ଉପସ୍ଥିତିରେ ମାନ୍ୟବର ରାଜସ୍ୱ ମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବୀ ଉପରେ ଏଯାବତ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିବା ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପ୍ରସ୍ଥାବ ଦେଇଥିଲେ ।
ସଂଘର ସମ୍ପାଦକ ହିତାଂଶୁ ଶେଖର ସାମଲ ଏ ବିଷୟରେ ସରକାରଙ୍କୁ ଜଣାଇବା ସହ ସଂଘର ବିଭିନ୍ନ ଦାବୀକୁ ସରକାର ଗ୍ରହଣ କରି କୌଣସି ସକରାତ୍ମକ ପଦକ୍ଷେପ ନନେଲେ ରାଜ୍ୟବ୍ୟାପୀ ରାଜସ୍ୱ ଅଧିକାରୀମାନେ ଆଗାମୀ ୨୫ ଜୁନ ଠାରୁ କଳା ବ୍ୟାଜ ପିନ୍ଧି ପ୍ରତିବାଦ ପ୍ରଦର୍ଶନ କରିବା ସହ ଆବଶ୍ୟକ ପଡିଲେ ୨ ଜୁଲାଇ ଠାରୁ ସାମୁହିକ ଛୁଟି ଅଥବା କାର୍ଯ୍ୟବନ୍ଦ କରିବାର ଚେତାବନୀ ଦେଇଛନ୍ତି ।
ସୁଚନାଯୋଗ୍ୟ ଯେ, ଏବେ ରାଜ୍ୟରେ ୮୯୧ ଜଣ ରାଜସ୍ୱ ଅଧିକାରୀ କାର୍ଯ୍ୟ କରୁଛନ୍ତି, ସହାୟକ ଜିଲ୍ଲାପାଳ, ଉପନିବନ୍ଧକ, ପୌରପାଳିକା ନିର୍ବାହୀ ଅଧିକାରୀ, ଜୋନ ଅଫିସର ଏବଂ ଅତିରିକ୍ତ ତହସିଲଦାର ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ଏବଂ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପରି ସମ୍ବେଦନଶୀଳ ଦାୟୀତ୍ୱ ନିଭାଉଥିବା ଏହି ଅଧିକାରୀମାନେ ଦରମା ବୃଦ୍ଧି, ସମୟୋଚିତ ପଦୋନ୍ନତି, ବେତନ ବିସଙ୍ଗତି ଆଦି ବିଭିନ୍ନ ଦାବୀ ନେଇ ଅତୀତରେ ସରକାରଙ୍କୁ ଭେଟିଥିଲେ ମଧ୍ୟ ଅଦ୍ୟାବଧି କୌଣସି ଦାବୀ ପୂରଣ ହୋଇନାହିଁ ।
ନିକଟ ଅତୀତରେ ରାଜ୍ୟ ସରକାର ଅନ୍ୟ କର୍ମଚାରୀ ସଙ୍ଗଠନ ମାନଙ୍କ ଦାବୀକୁ ଗ୍ରହଣ କରିଥିବାବେଳେ ରାଜସ୍ୱ ସେବା ସଂଘର ଯଥାର୍ଥ ଦାବୀଗୁଡିକୁ କର୍ଣ୍ଣପାତ ନକରିବା କ୍ଷୋଭ ଓ ପରିତାପର ବିଷୟ । ଏଣୁ ସଂଘର ନିଷ୍ପତ୍ତିକ୍ରମେ ଆଗାମୀ ଦିନରେ ଏହି ଆନ୍ଦୋଳନାତ୍ମକ ପନ୍ଥା ମାଧ୍ୟମରେ ତହସିଲ ଅଫିସ ଓ ନିବନ୍ଧନ କାର୍ଯ୍ୟାଳୟ ଗୁଡିକୁ ଅଚଳ କରିଦିଆଯିବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟ ସରକାର ଖୁବଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇ ଆଲୋଚନା ପାଇଁ ଆହ୍ୱାନ କରିପାରନ୍ତି ବୋଲି ସୁଚନା ଦେଇ ସଂଘର ଜନସମ୍ପର୍କ ଅଧିକାରୀ ସୌମ୍ୟଶ୍ରୀ ପାଣିଗ୍ରାହୀ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

• ୨୫ ଜୁନରୁ କଳାବ୍ୟାଜ୍ ପରିଧାନ
• ୨ ଜୁଲାଇରୁ କଲମ ଛାଡ ଡାକରା
• ଦାବୀ ପୁରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ
• ତହସିଲ କାର୍ଯ୍ୟାଳୟ ଓ ନିବନ୍ଧନ କାର୍ଯ୍ୟାଳୟରେ ଅଚଳାବସ୍ଥା ସମ୍ଭାବନା

By amfnews

Related Post