Wed. Jan 15th, 2025

ଓଡ଼ିଶା ରାଜନୀତିର ସ୍ୱପ୍ନର ସୌଦାଗରମାନେ

By amfnews Jan 6, 2019 #Featured
318 Views

ପ୍ରଶାନ୍ତ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଏବଂ ସର୍ବମୟ କର୍ତ୍ତା ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରି ଶାସନ ସିହାଂସନ ଦଖଲ କରିବାପାଇଁ କେତେକ ରାଜନେତା ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର କେନ୍ଦ୍ର, ପେଟ୍ରୋଲିୟମ୍, ପ୍ରାକୃତିକଗ୍ୟାସ୍, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଠାର ଆଗରେଥିବା ସ୍ୱାଭାବିକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏକାଦି କ୍ରମେ ପାଞ୍ଚବର୍ଷରୁ ଅଧିକ ସମୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ରହିବାଲାଗି ସୁଯୋଗ ପାଇନଥିବା ସ୍ଥଳେ ତାଙ୍କର କନିଷ୍ଠପୁତ୍ର ନବୀନ ପଟ୍ଟନାୟକ ଏକାଦି କ୍ରମେ ଦୀର୍ଘ ୧୯ବର୍ଷ ଶାଦନ ଗାଦିରେ ବସି ଯେଉଁ ରେକର୍ଡ ସୃଷ୍ଠି କରିଛନ୍ତି ତାହାର ପରିସମାପ୍ତି ଘଟାଇ ମୁଖ୍ୟମନ୍ତ୍ରୀ ଆସନରେ ବସିବାଲାଗି ଏହି ସ୍ୱପ୍ନର ସୌଦାଗର ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଧର୍ମେନ୍ଦ୍ରଙ୍କ ରାଜନୈତିକ ଓ ଆର୍ଥିକ ସ୍ଥିତି ସାଗଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନ ଓ ଆର୍ଶିବାଦ ଏବଂ ନିର୍ବାଜନ ରାଜନୀତିରେ ସର୍ବଶେଷ୍ଠ ଖେଳାଳୀ ଭାବରେ ସୁପରିଚିତ ଅମିତ ଶାହାଙ୍କ ରଣ କୌଶଳ ଧର୍ମେନ୍ଦ୍ରଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ବିଶେଷ ଫଳପ୍ରଦ ହୋଇନପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ବିଚାର କରୁଛନ୍ତି । ଏଭଳି ଏକ ପରିସ୍ଥିତିରେ ‘ଉତ୍କଳ ଭାରତ’ ଭଳି ଏକ କ୍ଷୁଦ୍ର ରାଜନୈତିକ ଦଳର ପ୍ରତିଷ୍ଠାତା ସଭାପତି ଐର ଖାରବେଳ ସ୍ୱାଇଁ ନବୀନଙ୍କୁ ଗାଦିଚ୍ୟୁତ କରିବା ନିମନ୍ତେ ନବୀନ ବିରୋଧି ରାଜନେତା ମାନଙ୍କର ଏକ ମହାମେଣ୍ଟ ଗଠନ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ମୁଖ୍ୟତଃ ଏହି ପ୍ରସ୍ତାବିତ ମହାମେଣ୍ଟ ନବୀନ ସରକାରଙ୍କ ବିରୋଦ୍ଧରେ ଦୁର୍ନିତି ଅଭିଯୋଗକୁ ଆୟୁଧ କରି ବିଜୁ ଜନତା ଦଳ ସରକାରକୁ ଅନାୟସରେ ଗାଦିଚ୍ୟୁତ କରିପାରିବ ବୋଲି ନବୀନ ବିରୋଧି ନେତାମାନେ ଆଶା ପୋଷଣ କରୁଛନ୍ତି ।

ଉପରୋକ୍ତ ନେତା ମାନଙ୍କ ମଧ୍ୟରୁ ଏକଦା ବିଜୁ ବାବୁଙ୍କର ଅତ୍ୟନ୍ତ ପ୍ରିୟ ଓ ଅନୁଗତ୍ୟ ଭାବରେ ପରିଚିତ ବିଜୁ ଜନତା ଦଳରୁ ଅପମାନଜନକ ପରିସ୍ଥିତିରେ ବହିଷ୍କୃତ ହୋଇଥିବା ପ୍ରାକ୍ତନ ମନ୍ତ୍ରୀ ଡ.ଦାମୋଦର ରାଉତ କ୍ରମାଗତ ଭାବରେ ସାତଥର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ତାହାକୁ ନିଜର ହସ୍ତମୁଦି ମହାର ଭାବରେ ପରିଣତ କରିଥିଲେ । ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଡ.ରାଉତଙ୍କର ଯଥେଷ୍ଟ ପ୍ରଭାବ ରହିବା ସ୍ୱଭାବିକ । ଏହା ବ୍ୟତିତ ତାଙ୍କରି ମାଲିକାନାରେ ପ୍ରତିଷ୍ଠିତ ଦୌନିକ ‘ସଂଚାର’ ସମ୍ବାଦ ପତ୍ରରୁ ସମ୍ପାଦକ ଭାବରେ ନିଜ ସପକ୍ଷରେ ସୀମିତ ପରିମାଣର ଜନମତ ସୃଷ୍ଟି କରିବା ପାଇଁ ସେ ସମର୍ଥ ହୋଇପାରନ୍ତି ବୋଲି ପର୍ଯ୍ୟବେକ୍ଷକ ମାନେ ଅନୁଭବ କରୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଅନୁକମ୍ପାରୁ ଦୀର୍ଘଦିନଧରି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ପରବର୍ତ୍ତି କାଳରେ ନବୀନଙ୍କ ବିରୋଧରେ ବିଶୋଦଗାର କରି ବିଜୁ ଜନତା ଦଳର କର୍ମି ଓ ନେତା ମାନଙ୍କର ସମର୍ଥନ ହରାଇ ବସିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକଦା ଅତ୍ୟନ୍ତ ଘନିଷ୍ଠ ଭାବରେ ପରିଚିତ ରହି ସରକାରରୁ ବିଭିନ୍ନ ପ୍ରକାର ବ୍ୟବସାୟୀକ ଫାଇଦା ଉଠାଇଥିବା ବୈଜୟନ୍ତ ପଣ୍ଡା ଦୀଲ୍ଲିର ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ଓ ମାଲିକମାନଙ୍କ ସହ ଘନିଷ୍ଠତାର ସୁଯୋଗ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ପ୍ରସାଶନକୁ ଦୀର୍ଘ ବର୍ଷ ଧରି ପ୍ରଭାବିତ କରି ଆସୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରଙ୍କ ଦତ୍ତରରେ କାର୍ଯ୍ୟରତ ଓ ତାଙ୍କର ଅତ୍ୟନ୍ତ ବିସ୍ୱସ୍ଥ କାର୍ତ୍ତିକେୟ ପାଣ୍ଡିଆନ ବୈଜୟନ୍ତଙ୍କ ଏତାଦୃସ କାର୍ଯ୍ୟକଳାପରେ ବାଧାସୃଷ୍ଟି କରିବାରୁ ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୁବ୍ଧ ହେବା କାହାରିକୁ ଅଛପା ନାହିଁ । ନବୀନଙ୍କ ନିକଟରେ ବୈଜୟନ୍ତ ଶୋଚନୀୟ ଭାବରେ ଗୁରୁତ୍ୱ ହରାଇ ବସିବାରୁ ତାଙ୍କ ଦ୍ୱାରା ନୀୟନ୍ତ୍ରିତ ଓଟିଭି ଭଳି ରାଜ୍ୟର ଏକ ପ୍ରଭାବଶାଳି ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ନିକଟତମ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ବ୍ୟବହାର କରି ଜନମତକୁ ପ୍ରଭାବିତ କରିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ଡ.ଦାମୋଦର ରାଉତ ଏବଂ ନବୀନ ବିରୋଦ୍ଧି ରାଜନେତାମାନେ ତାହାର ସୁଯୋଗନେବା ଲାଗି ବ୍ୟସ୍ତ ରହିଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି ।

ନବୀନଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାପାଇଁ ଯେଉଁ ରାଜନେତା ମାନେ ସର୍ବଦୌ ଉଦ୍ୟମ ଆରମ୍ଭ କରଛନ୍ତି ବୈଜୟନ୍ତ ସେମାନଙ୍କ ମଧ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ଓଟିଭିର ପ୍ରଶାରଣ କେବଳ ଓଡ଼ିଆ ଦର୍ଶକ ମାନଙ୍କ ମଧ୍ୟରେ ସୀମିତ ଥିବାରୁ ଭାରତୀୟ ରାଜନୀତିରେ ନିଜର ଗୁରୁତ୍ୱ ଜାହିର କରିବା ନିମନ୍ତେ ଶ୍ରୀ ପଣ୍ଡା ‘ଟ୍ୱଇଟର’କୁ ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ବୈଜୟନ୍ତ ଦୀଲ୍ଲିର ପ୍ରଭାବଶାଳି ଗଣମାଧ୍ୟମର ମାଲିକ ଓ ପ୍ରତିନିଧି ମାନଙ୍କର ଘନିଷ୍ଠ ହୋଇଥିଲେ ମଧ୍ୟ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ହେୟଜ୍ଞାନ କରୁଥିବାରୁ ସେମାନେ ବୈଜୟନ୍ତଙ୍କ ପ୍ରତି ଉଦାସୀନ ରହୁଥିବା ଏକ ମାଧାରଣ ଘଟଣରେ ପରିଣତ ହୋଇଛି । ରାଜ୍ୟର ସାଧାରଣ ଜନତା ତଥା ଗଣମାଧ୍ୟମର ପ୍ରତିନିଧିମାନଙ୍କର ନିକଟତମ ହୋଇ ସେମାନଙ୍କ ସହ ମତାମତ ବିନିମୟ ନିମନ୍ତେ ଶ୍ରୀ ପଣ୍ଡା ରାଜ୍ୟର ବିଭିନ୍ନ ସ୍ଥାନରେ ‘ହୋଇଯାଉ’ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଉଦ୍ୟମକରି ଏଦିଗରେ ବିଶେଷ ସଫଳ ହୋଇପାରିନଥିବା ପରିଲକ୍ଷିତ ହୋଇଛି ।

ନବୀନଙ୍କୁ ହଟାଇବା ଲାଗି ଏକ ମହାମେଣ୍ଟ ଗଠନ କରିବା ଦିଗରେ ଅଗ୍ରଣି ଭୂମିକା ଗ୍ରହଣ କରିବାଲାଗି ଉଦ୍ୟମ କରୁଥିବା ଉତ୍କଳଭାରତର ପ୍ରତିଷ୍ଠାତା ଶ୍ରୀ ଖାରବେଳ ସ୍ୱାଇଁ ନିଜ ଦଳର ଶକ୍ତି ଏବଂ ଓଡ଼ିଶା ରାଜନୀତିରେ ନିଜର ସ୍ଥିତି ଆକଳନ’ନକରି ନିଜକୁ ନବୀନଙ୍କ ବିକଳ୍ପ ବା ମୁଖ୍ୟମନ୍ତ୍ରୀ ହେବାଲାଗି ସବୁଠାରୁ ଦକ୍ଷ ଓ ଯୋଗ୍ୟ ବ୍ୟକ୍ତି ବୋଲି ବିଚାର କରୁଥିବା ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବାରମ୍ବାର ଦାବି କରିଥିବା ଦୃଷ୍ଟିରୁ ପ୍ରସ୍ତାବିତ ମହାମେଣ୍ଟରେ ଯୋଗଦେବା ନେଇ ରାଜନେତା ତଥା କର୍ମି ମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାନଦେବା ପରିଲକ୍ଷିତ ହେଉଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତ୍ରିପାଠି ରାଜ୍ୟ ରାଜନୀତିରେ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବା ଦିଗରେ ଗଠନ କରିଥିବା ‘ସମତାକ୍ରାନ୍ତି ଦଳ’ର ଏକମାତ୍ର ନିର୍ବାଚିତ ପ୍ରତିନିଧି ଶ୍ରୀ ଜର୍ଜ ତିର୍କି କଂଗ୍ରେସ ଦଳରେ ଯୋଗଦେବା ପରେ ଦଳର ସ୍ଥିତି ପ୍ରାୟ ଲୋପ ପାଇବାକୁ ବସିଛି । ନିଜର ରାଜନୈତିକ ପରିଚୟକୁ ବଞ୍ଚାଇ ରଖିବା ପାଇଁ ବିଜୁ ବାବୁଙ୍କ ନାମର ବ୍ୟବହାର କରି ‘ବିଜୁ ସମତାକ୍ରାନ୍ତି ଦଳ’ ଗଠନ ନିମନ୍ତେ ଡ.ଦାମୋଦର ରାଉତ ଦେଇଥିବା ପ୍ରସ୍ଥାବରେ ସେ ସହମତି ପ୍ରକାଶ କରିଥିଲେ ମଧ୍ୟ ଦଳର ମୁଖ୍ୟ ଭାବରେ ବୈଜୟନ୍ତ ପଣ୍ଡା ଅଥବା ଡ.ଦାମୋଦର ରାଉତଙ୍କ ନେତୃତ୍ୱକୁ ଗ୍ରହଣ କରିବା ଦିଗରେ ସେ କୁଣ୍ଟିତ ।

ବିଗତ କିଛିଦିନଧରି ରାଜ୍ୟର କେତେକ ଗଣମାଧ୍ୟମରେ ବିଜେଡି ଓ ବିଜେପି ବିରୋଧି ଯେଉଁ ମହାମେଣ୍ଟ ସମ୍ପର୍କରେ ପ୍ରଚାର କରାଯାଉଛି ସେହି ମହାମେଣ୍ଟରେ କଂଗ୍ରେସ ଦଳକୁ ସାମିଲ କରିବା ଅଥବା ବିଜେପି ଦଳରୁ ଇସ୍ତଫା ଦେଇ ଅଦ୍ୟାବଧି କୌଣସି ଦଳରେ ଯୋଗଦେଇନଥିବା ରାଜ୍ୟର ଦୁଇ ପ୍ରଭାବଶାଳୀ ନେତା ବିଜୟ ମହାପାତ୍ର ଓ ଦିଲ୍ଲିପ ରାୟଙ୍କୁ ପ୍ରସ୍ତାବିତ ମହାମେଣ୍ଟରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଯିବକି ନା ଅଥବା ଶ୍ରୀ ମହାପାତ୍ର ଓ ଶ୍ରୀ ରାୟ ଏହି ନିମନ୍ତ୍ରଣକୁ ଗ୍ରହଣ କରିବେ ବା ପ୍ରତ୍ୟାଖାନ କରିବେ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାରୁ ରାଜ୍ୟର ଶାସନ ଗାଦି ଦଖଲ କରିବାପାଇଁ ଆଗ୍ରହିଥିବା ସ୍ୱପ୍ନର ସୌଦାଗର ମାନଙ୍କର ଭବିଷ୍ୟତ ସମୟ ହିଁ ସ୍ତିର କରିବ ।

By amfnews

Related Post