Sat. Mar 7th, 2026

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣା: ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ ସମସ୍ୟା ହେବନି ବୋଲି କହିଲେ ଜିଲ୍ଲାପାଳ

305 Views

ସମ୍ବଲପୁର: ସମ୍ବଲପୁର ଜେଲ ଛକ ନିକଟରେ ଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଶାଖା ଅଫିସ୍‌ରେ ଗତ ବୁଧବାର ଅପରାହ୍ନରେ ଦୁର୍ବୃତ୍ତମାନେ ପଶି ନିଆଁ ଲଗାଇ ଦେଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ ପୋଡା ଘଟଣାକୁ ନେଇ ବୋର୍ଡର ସମ୍ବଲପୁର ଜୋନର ଡେପୁଟି ସେକ୍ରେଟାରିଙ୍କ ଏତଲା ଭିତ୍ତିରେ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣା ପରେ ମ୍ୟାଟ୍ରିକ୍‌ ପରୀକ୍ଷାରେ ବାଧା ସୃଷ୍ଟି ନେଇ ମନରେ ଯେଉଁ ଆଶଙ୍କା ଥିଲା ତାହାକୁ ସ୍ପଷ୍ଟ କରି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ମାଟ୍ରିକ୍‌ ପରୀକ୍ଷା ପରିଚାଳନାରେ କୌଣସି ସମସ୍ୟା ହେବ ନାହିଁ।

ସୂଚନାଯୋଗ୍ୟ, ଗତକାଲି ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଲାଗି ଦୂରଶିକ୍ଷା ପ୍ରାର୍ଥୀଙ୍କ ଫର୍ମ ପୂରଣ ପାଇଁ ଶେଷ ତାରିଖ ଥିଲା। ସେଥିପାଇଁ ସମସ୍ତ କର୍ମଚାରୀ ଅଫିସ୍‌ରେ ବସି କାମ କରୁଥିଲେ। ଏହି ସମୟରେ ଅଫିସକୁ ହଠାତ ୭ରୁ ୮ଜଣ ଦୁର୍ବୃତ୍ତ ପଶି ଆସିଥିଲେ ଏବଂ ଅଫିସ ଭିତରୁ ସମସ୍ତ କର୍ମଚାରୀଙ୍କୁ ଧମକ ଦେଇ ବାହାରି ଯିବା ଲାଗି କହିଥିଲେ। ଭୟରେ କର୍ମଚାରୀମାନେ ବାହାରି ଆସିବା ପରେ ଦୁର୍ବୃତ୍ତମାନେ ଅଫିସରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଅଫିସରରେ ଥିବା ସମସ୍ତ ଜରୁରୀ କାଗଜପତ୍ର ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୁର୍ବୃତ୍ତମାନେ ଅଫିସ ପରିସରରେ ଥିବା ଦୁଇଟି ବାଇକରେ ନିଆଁ ମଧ୍ୟ ଲଗାଇ ଦେଇଥିବା ନେଇ ବିଏସ୍‌ଇର ଡେପୁଟି ସେକ୍ରେଟାରି ସୂର୍ଯ୍ୟମଣି ମାଝି ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଓକିଲ ଆନ୍ଦୋଳନ ହେତୁ ସମ୍ବଲପୁରରେ ବିଭିନ୍ନ ଅଫିସ ବନ୍ଦ ରହିଥିଲା। ଗତ ବୁଧବାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣର ଶେଷ ତାରିଖ ଥିବା ହେତୁ ବୋର୍ଡ କର୍ତ୍ତୃପକ୍ଷ ଓକିଲ ସଂଘକୁ ଏକ ପତ୍ର ଲେଖି ଅଫିସ ଖୋଲିବା ଲାଗି ଅନୁରୋଧ କରିଥିଲେ। ଏଥିସହ ସମ୍ବଲପୁର ଜିଲ୍ଲାପାଳଙ୍କୁ ଅବଗତ କରି ବୋର୍ଡ ପକ୍ଷରୁ କାର୍ଯ୍ୟାଳୟ ଖୋଲାଯାଇଥିଲା।

By amfnews

Related Post