Sun. Mar 8th, 2026

ଓଡ଼ିଶାରେ କରୋନା: ୧୧୦ରୁ ୨ ଜଣ ପଜିଟିଭ୍‌

184 Views

ଭୁବନେଶ୍ୱର: କରୋନା ଭାଇରସ୍‌ ସନ୍ଦେହରେ ଓଡ଼ିଶାରେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ୧୧୦ ଜଣଙ୍କ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଛି। ସେଥି ମଧ୍ୟରୁ ୨ ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ବାଗ୍‌ଚୀ କହିଛନ୍ତି, ଯେଉଁ ୨ ଜଣ ପଜିଟିଭ୍‌ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ସାଧାରଣ ରୋଗୀଙ୍କ ଭଳି ଖାଇବା-ପିଇବା କରୁଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ୧୦୪ ହେଲ୍‌ପଲାଇନ୍‌ ଜରିଆରେ ଏପର୍ଯ୍ୟନ୍ତ ୩୮୬୧ ଜଣ ଲୋକ ସେମାନଙ୍କ ନାମ ପଞ୍ଜୀକରଣ କରିଛନ୍ତି। କରୋନା ପଜିଟିଭ୍‌ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୫୭ ଜଣଙ୍କ ତଥ୍ୟ ମିଳିଛି। ସେଥିରୁ ୫୪ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ୪୫ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିଭଳି ୧୦୦ ଜଣଙ୍କ ପାଖରେ କିଛି ଲକ୍ଷଣ ଥିବା ସନ୍ଦେହ ଦେଖାଯାଇଛି।

ଶ୍ରୀ ବାଗ୍‌ଚୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଯେଉଁ ସରକାରୀ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ ଆସିଛି, ସେମାନେ ଆଗାମୀ ୪୮ ଘଣ୍ଟା ମଧ୍ୟ୍ୟରେ ନିଜର ନୂତନ କାର୍ଯ୍ୟସ୍ଥଳରେ ରିପୋର୍ଟ କରନ୍ତୁ। ଯେଉଁମାନେ ଏହି ନିୟମ ଉଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ସରକାର ରାଜ୍ୟରେ ଚାଲିଥିବା ଅଧିକାଂଶ ନିର୍ମାଣ କାମ ବନ୍ଦ ରଖିଛନ୍ତି। କେବଳ ସ୍ୱାସ୍ଥ୍ୟ ଓ କୋଭିଡ-୧୯ ନିର୍ମାଣ କାମ ଚାଲିଛି। ସେହିମଳି ପିଡିଏସ୍‌ ଓ ଭତ୍ତା କାର୍ଯ୍ୟାଳୟ ଖୋଲା ରହିଛି।

ଶ୍ରୀ ବାଗଚୀ କହିଛନ୍ତି କି ୪ମାସ ତଳେ ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସ ଏବେ ମହାମାରୀ ରୂପ ନେଇଛି। ବିଶ୍ୱରେ ଆଜି ଦିନ ୩ଟା ସୁଦ୍ଧା ୩ ଲକ୍ଷ ୮୧ ହଜାର ୭୬୧ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଭାରତରେ ସଂଖ୍ୟା ୫୧୧ ଜଣ। ଆମେରିକା ଓ ଇଟାଲୀରୁ ଶିକ୍ଷା ମିଳିଛି ଯେ, ଏହା ସାମାନ୍ୟ ଛୋଟରୁ ବିପଦପୂର୍ଣ୍ଣ ରୂପ ନେଇପାରେ। ପୂର୍ବରୁ ଆମେ ଜାଣୁଥିଲେ ଯେ, ଏହା ଏତେ ଭୟଙ୍କର ରୂପ ନେବ ନାହିଁ।

ଏକ ଗବେଷଣାରୁ ଜଣାପଡ଼ିଛି, ଉପମହାଦେଶରେ ୫୮,୬୪୩ ଜଣ ଲୋକ ସଂକ୍ରମିତ ହେବେ। ଯଦି ଏହା ହୁଏ ଓଡ଼ିଶାରେ ୨୩୪୫ ଜଣ ସଂକ୍ରମିତ ହେବେ। ପୁଣି କୁହାଯାଉଛି ଯେ ସଂକ୍ରମଣରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇପାରନ୍ତି। ଯଦି ଏହା ହୁଏ, ତାହେଲେ ଓଡ଼ିଶାରେ ୩୬ ହଜାର ଲୋକ ସଂକ୍ରମଣର ଶିକାର ହୋଇପାରନ୍ତି।

By amfnews

Related Post