ରାଉରକେଲା, ନଭେମ୍ବର ୨୭: ଓଡ଼ିଆ ଭାଷା ବିକାଶ ମଂଚ ଓ ସେକ୍ଟର-୬ ସ୍ଥିତ ସରକାରୀ ଏନ୍ଏସି ଏସ୍ଟି ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୭ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଲଳିତା ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନବକୃଷ୍ଣ ଜୟନ୍ତୀ ଉପରେ ଆଲୋକପାତ କରିଥିଲେ ।
ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କୁନ୍ତଳା କୁମାରୀ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୁଦୁଲି ସ୍ୱାଗତ ଭାଷଣ ସହ ନବକୃଷ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ ଯେ ନବକୃଷ୍ଣ ହେଉଛନ୍ତି ଜଣେ ବିପ୍ଲବୀ ଜନନାୟକ, ସମାଜବାଦୀ ଦର୍ଶନର ଋପକାର, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ ତଥା ସରଳ ନିରାଡ଼ମ୍ବର ଓ ନିରହଙ୍କାରୀ ମଣିଷ । ଖାଲି ସେତିକି ନୁହେଁ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା । ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଯେ ନବକୃଷ୍ଣ ଏକାଧାରରେ ଜଣେ ସ୍ୱାଧିନତା ସଂଗ୍ରାମୀ, ସମାଜବାଦୀ ନେତା, ଆଦର୍ଶବାଦୀ ରାଜନୀତିଜ୍ଞ ଏବଂ ଚାଷୀ ଆନ୍ଦୋଳନର ସାର୍ଥକ ସାରଥି ଥିଲେ ।
ଭାଗଚାଷୀ ଆଇନ, ଜମିଦାରୀ ଉଚ୍ଛେଦ, ଜଗନ୍ନାଥ ମନ୍ଦିର ପରିଚାଳନା ନିମନ୍ତେ ଆଇନ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୫୪ ଭାଷା ଆଇନ ସହ ହୀରାକୁଦ ବହୁମୁଖୀ ଯୋଜନା, ରାଉରକେଲା ଇସ୍ପାତ କାରଖାନା ଆଦି ତାଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିଲା । ବାସ୍ତବରେ କହିବାକୁ ଗଲେ ନବକୃଷ୍ଣଙ୍କ ଶାସନ ସମୟ ଭିତରେ ଆଧୁନିକ ଓଡ଼ିଶାର ନିର୍ମାଣ ଭିତି ସ୍ଥାପନ ହୋଇଥିଲା । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ ନବକୃଷ୍ଣ ହେଉଛ”ି ପ୍ରକୃତ ସଚ୍ଚା ଦେଶଭକ୍ତ ଓ ସ୍ୱାଧିନତା ସଂଗ୍ରାମୀ । ସେ ପ୍ରଚାରଧର୍ମୀ ରାଜନୀତିରୁ ଉଦ୍ଧ୍ୱର୍ରେ ଥିଲେ ।
ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ତାଙ୍କର ଏକ ଉଲ୍ଲେଖନୀୟ ଅବଦାନ । ଚାଷୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନର କଥାକୁ ପ୍ରଚାର ପ୍ରସାର ଲାଗି ସେ ପ୍ରକାଶ କରିଥିଲେ ‘ସାରଥି’ ଓ ‘କୃଷକ’ ପତ୍ରିକା । ଭୁବନେଶ୍ୱର କୃଷି ମହାବିଦ୍ୟାଳୟ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହିତ ଓଡ଼ିଶା ଗଡ଼ଜାତର ମିଶ୍ରଣରେ ତାଙ୍କର ଯଥେଷ୍ଟ ଅବଦାନ ଥିଲା । ଭାଷା ଓ ନିଶା ନିବାରଣ ଆଇନ ତାଙ୍କର ସର୍ବଶ୍ରେଷ୍ଠ କୃତି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ କବିର ଦାସ, ଶୁଭଲକ୍ଷ୍ମୀ ପଣ୍ଡା, ଗାୟତ୍ରୀ ବେହେରା, କରିନା ଯାଦବ, ନରେଶ ମୁଣ୍ଡା ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ସେହିପରି ପ୍ରଶ୍ନୋତ୍ତରି କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନୁପମା ପଣ୍ଡା, ସରିତା ଜେନା, କିଶୋରୀ ଦଳାଇ, ଝରଣାରାଣୀ ଜେନା, ଶ୍ରଦ୍ଧାଳୀ କର, ଶଶିରେଖା ଦାସ, ଅନୀତା ପରିଡ଼ା, ସୁନୀତା ନାୟକ, ନିରନ୍ତର ହୋରୋ ଓ ଅନିରୁଦ୍ଧ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୁଦୁଲୀ ଧନ୍ୟବାଦ ଦେଇଥିଲେ ।