Mon. Dec 23rd, 2024

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍: ଭାରତୀୟ ଦଳ ଘୋଷିତ, ଶିଖର ଧାଓ୍ଵନ ବାଦ୍, ମୟଙ୍କ ଅଗ୍ରଓ୍ଵାଲଙ୍କୁ ସୁଯୋଗ

By amfnews Sep 30, 2018 #Featured
135 Views

ନୂଆଦିଲ୍ଲୀ,ସେପ୍ଟେମ୍ବର୨୯: ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଅକ୍ଟୋବର ୪ରୁ ଆରମ୍ଭ ହେଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଜାତୀୟ ଚୟନକର୍ତ୍ତା ଶନିବାର ୧୫  ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି।  ଇଂଲଣ୍ଡ ଗସ୍ତରେ ଫ୍ଲପ୍ ହୋଇଥିବା ଶିଖର ଧାଓ୍ଵନଙ୍କୁ  ଟେଷ୍ଟ ଦଳରୁ ବାଦ୍ ଦିଆଯାଇ ଯୁବ ବ୍ୟାଟସମ୍ୟାନ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସୁଯୋଗ ଦିଆଯାଇଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ଵରେ ଦଳ ଏହି ସିରିଜ୍ ଖେଳିବ। ଏହା ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଏହି ଟେଷ୍ଟ ସିରିଜରେ ମଧ୍ୟ କୋହଲିଙ୍କୁ ବିଶ୍ରାମ ଦିଆଯିବ। ମାତ୍ର ଦଳ ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ଯେ କୋହଲି ଦଳର ନେତୃତ୍ଵ ନେବେ। ପୃଥିବୀ ସୋଙ୍କୁ ଦଳରେ ମଧ୍ୟ ସାମିଲ କରାଯାଇଛି।

ଶିଖର ଧାଓ୍ଵନଙ୍କ ବ୍ୟତୀତ ଇଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆହତ କାରଣରୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ଅନ୍ୟ ପଟେ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି।  ଭୁବନେଶ୍ଵର କୁମାର ଆଘାତ କାରଣ ଯୋଗୁଁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସାମିଲ ହୋଇ ପାରିନଥିଲେ। ମାତ୍ର ଏସିଆ କପରେ ସେ ଦଳର ପ୍ରତିନିଧିତ୍ଵ କରିଥିଲେ। ଏବେ ଘରୋଇ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି।

ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ଦଳରେ ସାମିଲ ହୋଇଥିବା ଉଦୀୟମାନ କ୍ରିକେଟର ପୃଥିବୀ ସୋଙ୍କ ସମେତ କେଏଲ ରାହୁଲ, ହନୁମା ବିହାରୀ, ଓ୍ଵିକେଟ୍ କିପର ରୂପେ ଋଷଭ ପନ୍ତ ଆଦି ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି।

ଉଲ୍ଲେଖଯୋଗ୍ୟ ଓ୍ଵେଷ୍ଟଇଣ୍ଡିଜ ଦଳ ଏହି ଗସ୍ତରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚର ସିରିଜ୍ ଖେଳିବ। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୪ରୁ ରାଜକୋଟରେ ଖେଳାଯିବ। ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଅକ୍ଟୋବର ୧୨ ରୁ ୧୬ ପର‌୍ୟ୍ୟନ୍ତ ହାଇଦ୍ରାବାଦରେ ଖେଳାଯିବ।  ଟେଷ୍ଟ ସିରିଜ ପରେ ଅକ୍ଟୋବର ୨୧ରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୧ରେ ଗୌହ୍ଵାଟୀ, ଦ୍ଵିତୀୟ ମ୍ୟାଚ୍ ୨୪ରେ ଇନ୍ଦୋର, ତୃତୀୟ ମ୍ୟାଚ୍ ୨୭ରେ ପୁଣେ, ୨୯ରେ ଚତୁର୍ଥ ମ୍ୟାଚ୍ ମୁମ୍ବାଇ ଓ ପଞ୍ଚମ ମ୍ୟାଚ୍ ନଭେମ୍ବର ୧ରେ ତିରୁଅନନ୍ତପୁରମରେ ଖେଳାଯିବ।

By amfnews

Related Post