Sun. Mar 8th, 2026

ଐତିହାସିକ ପଦକ୍ଷେପ ନେଲେ ମୋଦୀ ସରକାର : ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ପ୍ରସ୍ତାବ

190 Views

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସମ୍ବନ୍ଧିତ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ ଲାଗି ରାଜ୍ୟସଭାରେ ପ୍ରସ୍ତାବ ଆଣିଲେ ମୋଦୀ ସରକାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  ଆଜି ରାଜ୍ୟସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ର ଉଚ୍ଛେଦ ଲାଗି ସମ୍ବିଧାନର ସଂଶୋଧନ ପ୍ରସ୍ତାବ ଆଣିଛନ୍ତି କେନ୍ଦ୍ର ସରକାର। ଏହାକୁ ବିରୋଧ କରି ବିରୋଧୀ ଦଳଗୁଡ଼ିକ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରବଳ ହୋହଲ୍ଲା ଭିତରେ ଗୃହମନ୍ତ୍ରୀ ଶାହା ଏହାକୁ ଉପସ୍ଥାପନ କରିଛନ୍ତି।

ସୋମବାର ପୂର୍ବାହ୍ନ ୯:୩୦ରେ  ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ  ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ, ଏହି ପ୍ରସ୍ତାବ କେନ୍ଦ୍ର ସରକାର ଆଣିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଅମିତ ଶାହ ନିଜ ଉପସ୍ଥାପନରେ କହିଛନ୍ତି କି  ଏହି  ସଂଶୋଧନ ସଂସଦରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଧାରା ୩୭୦ ଅଧୀନରେ ଥିବା ସମସ୍ତ ବ୍ୟବସ୍ଥା  ଲାଗୁ ହୋଇ ପାରିବ ନାହିଁ। ସଦସ୍ୟମାନଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁଲାମ ନବୀ ଆଜାଦ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ ଅମିତ ଶାହା କହିଲେ ଯେ କଶ୍ମୀର ପ୍ରସଙ୍ଗରେ ୪ଟି ବିଲ୍‌ ଆଲୋଚନା ପାଇଁ ଆଗତ କରିବେ।

ଗତକାଲି ଠାରୁ  ଜମ୍ମୁ କଶ୍ମୀରରେ ସେନା ମୁତୟନ ବଢ଼ାଯିବା ସହ ପୁଲିସ ପ୍ରଶାସନ ଆଜି ଅଧରାତିରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। କଂଗ୍ରେସ ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ଗିରଫ କରାଯାଇଛି। ଏହାସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ‌ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି। ପିପୁଲ୍ସ ପାର୍ଟି ମୁଖ୍ୟ ସଜ୍ଜାଦ ‌ଲୋନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିଛି। ତୀବ୍ର ଉତ୍ତେଜନା ପ୍ରକାଶ ପାଉଥିବାରୁ ଶ୍ରୀନଗରରେ ଅନିର୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ସବୁ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ମୋବାଇଲ ଏବଂ ଇଣ୍ଟରନେଟ୍ ସେବାକୁ ମଧ୍ୟ ସସପେଣ୍ଡ କରାଯାଇଛି।

By amfnews

Related Post