Tue. Jan 7th, 2025

ଏସ୍‌ସିବି ମେଡିକାଲ୍‌ କର୍ମଚାରୀଙ୍କ ମହାଭୁଲ! : ଚାପିଥିଲେ ସରକାରୀ ଚିଠି, ଗ୍ରେଡେସନ୍‌ ତାଲିକା

By amfnews Jul 5, 2019 #Featured
117 Views

କଟକ : ଦୋଷ ଲୁଚାଇବାକୁ ଗୋଟିଏ ଭୁଲ୍‌। ତାକୁ ଲୁଚାଇବାକୁ ପୁଣି ଆଉ ଏକ ଭୁଲ। ଏମିତି ଭୁଲ ପରେ ଭୁଲ କରି ଏସ୍‌ସିବି ମେଡିକାଲ୍‌ ପାଣ୍ଠିରୁ ହୋଇଥିବା କୋଟି କୋଟି ଟଙ୍କା ହଡ଼ପ ଘଟଣାର ରହସ୍ୟ ଧୀରେ ଧୀରେ ପଦାକୁ ଆସୁଛି। ଏସ୍‌ସିବି ମେଡିକାଲ୍‌ରେ ଗ୍ରେଡେସନ୍‌ ତାଲିକାକୁ ଚପାଯାଇ ଦରମା ଧାର୍ଯ୍ୟ କରିବା ଓ ପଦବି ଅପେକ୍ଷା ଅଧିକ ଟଙ୍କା ଉଠାଇବା ଘଟଣା ସାମ୍ନାକୁ ଆସିଛି।

ଚଳିତ ମାସ ପ୍ରଥମ ସପ୍ତାହରେ ଡିଏମ୍‌ଇଟି ଫାଇଲ୍‌ ଉପରେ ଆପତ୍ତି ଉଠାଇ ଫେରାଇ ଦେବା ପରେ ଦରମା ଧାର୍ଯ୍ୟ କ୍ଷେତ୍ରରେ କେଳେଙ୍କାରୀ ହୋଇଥିବା ଅଧିକ ଦୃଢ଼ିଭୂତ ‌ହୋଇଛି। ଫଳରେ ଏବେ ନୂଆ ଗ୍ରେଡେସନ୍‌ ତାଲିକା କରାଯାଇ ଦରମା ଧାର୍ଯ୍ୟ ପରେ ପୁଣି ତାକୁ ଡିଏମ୍‌ଇଟିଙ୍କ ମ˚ଜୁରି ପାଇଁ ପଠାଯିବାକୁ ମେଡିକାଲ୍ କର୍ତୃପକ୍ଷ ଫାଇଲ୍‌ ଚାଷ ଆରମ୍ଭ କରିଛନ୍ତି। ତେବେ ଯେଉଁ ନିର୍ଦ୍ଦିଷ୍ଟ କର୍ମଚାରୀ ବାରମ୍ବାର ଗ୍ରେଡେସନ୍‌ ତାଲିକା ଲୁଚାଇବା ସହ ଅଡିଟ୍‌ ରିପୋର୍ଟକୁ ଚାପି ଦେଉଛନ୍ତି, ଏପରିକି ବିଭାଗରୁ ଆସୁଥିବା ଏକାଧିକ ରିମାଇଣ୍ତରକୁ ଅଧୀକ୍ଷକଙ୍କ ନଜରକୁ ଆଣୁନାହାନ୍ତି; ସଂପୃକ୍ତ କର୍ମଚାରୀ ଆପାତତଃ ଚିହ୍ନଟ ହୋଇଥିବା ଆଲୋଚନା ହେଉଛି। ଗ୍ରେଡେସନ୍‌ ତାଲିକା ପ୍ରସ୍ତୁତ ପରେ ସ˚ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ ତଥା ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଗତବର୍ଷ ମେ’ ୨୦୧୮ ମସିହାରେ କର୍ମଚାରୀଙ୍କ ସପ୍ତମ ବେତନ କମିସନଙ୍କ ସୁପାରିସ କ୍ରମେ ୪୦ ପ୍ରତିଶତ ବର୍ଦ୍ଧିତ ଦରମା ପ୍ରଦାନ କରାଯିବାକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏଥିପାଇଁ ୧୦ପ୍ରତିଶତ କର୍ମଚାରୀଙ୍କ ଫାଇଲ୍‌ ଅନୁଧ୍ୟାନ ପାଇଁ ଡିଏମ୍‌ଇଟି କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା। ନିର୍ଦ୍ଦେଶ ଅନୁଯାୟୀ ଫାଇଲ୍‌ ପଠାଯାଇଥିଲେ ବି କର୍ମଚାରୀମାନେ ମୂଳ ଦରମା ଉଠାଇ ଚାଲିଥିଲେ। ତେବେ ଗତ ଜାନୁଆରି ଶେଷ ସପ୍ତାହରେ ଫାଇଲ୍‌ ଗଡ଼ବଡ଼ ନେଇ ଅଭିଯୋଗ ଆସିବା ପରେ ଡିଏମ୍‌ଇଟି କାର୍ଯ୍ୟାଳୟରୁ କର୍ମଚାରୀଙ୍କ ଗ୍ରେଡେସନ୍‌ ତାଲିକା ମଗାଯାଇଥିଲା। ମାତ୍ର ତାଲିକା ପ୍ରସ୍ତୁତ ହୋଇ ନ ଥିବାରୁ ଚିଠିକୁ ଚାପି ଦିଆଯାଇଥିଲା। ଫଳରେ ମେ’ ମାସ ପର୍ଯ୍ୟନ୍ତ ଫାଇଲ୍‌ଗୁଡିକ ମେଡିକାଲ୍‌କୁ ଫେରିପାରି ନ ଥିଲା। ତେବେ ମେଡିକାଲ୍‌ ପକ୍ଷରୁ ଫାଇଲ୍‌ ଫେରାଇବାକୁ ବାରମ୍ବାର ଅନୁରୋଧ ପରେ ମେ’ ଶେଷ ସପ୍ତାହରେ ସମସ୍ତ ଫାଇଲ୍‌ ଫେରାଇ ଦିଆଯାଇଥିଲେ ବି ସବୁଥିରେ ଏକାଧିକ ଆପତ୍ତି ଉଠାଯାଇଛି। ଏଭଳି ସ୍ଥିତିରେ ତୁରନ୍ତ ଗ୍ରେଡେସନ୍‌ ତାଲିକା ନ ଦେବା ପର୍ଯ୍ୟନ୍ତ କର୍ମଚାରୀମାନେ ସପ୍ତମ ବେତନ କମିସନଙ୍କ ସୁପାରିସକ୍ରମେ ବର୍ଦ୍ଧିତ ୪୦ ପ୍ରତିଶତ ଦରମା ପାଇପାରିବେ ନାହିଁ ବୋଲି କୁହାଯାଇଛି।

ସେପଟେ ଫାଇଲ୍‌ ଯାଞ୍ଚରୁ ଜଣାପଡିଛି କେତେକ କର୍ମଚାରୀ ଗ୍ରେଡ୍‌ ପାର‌୍‌ କରିଯାଇଥିବା ବେଳେ ଆଉ କେତେକ କ୍ୟାଡର୍‌ ବଦଳାଇ ଦରମା ଉଠାଇ ଆସୁଛନ୍ତି। ଏ ସ˚ପର୍କରେ ଅଧୀକ୍ଷକ ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଯେ, କର୍ମଚାରୀମାନଙ୍କର ଗ୍ରେଡେସନ୍‌ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଖୁବ୍‌ଶୀଘ୍ର ତାଲିକା ପ୍ରସ୍ତୁତ କରି ଡିଏମ୍‌ଇଟିଙ୍କ ମ˚ଜୁରି ପାଇଁ ପଠାଯିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଫେସର ମହାନ୍ତି ସୂଚନା ଦେଇଛନ୍ତି।

By amfnews

Related Post