Sat. Mar 7th, 2026

ଏସ୍‌ସିବିରେ ନିର୍ମାଣ ହେବ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ୱାର୍ଡ

210 Views

କଟକ : ମହାନଦୀ ରିଂ’ ବନ୍ଧରୁ ଏସ୍‌ସିବି ଓ ବୋସ ଇଞ୍ଜିନିୟରିଙ୍ଗ ସ୍କୁଲ ମଧ୍ୟରେ ରହିଥିବା ଅଞ୍ଚଳରେ ନିର୍ମାଣ ହେବ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ୱାର୍ଡ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମାଣ ହେବାକୁ ଥିବା ଏହି ୱାର୍ଡରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିବ। ଏଥିପାଇଁ ମେଡିକାଲ ପରିସରକୁ ଲାଗି ରହିଥିବା ଦୋକାନ ବଜାର, ବେହେରା କୋଲୋନି ଆଦି ଉଚ୍ଛେଦ କରାଯିବ। ଆଜି ପୂର୍ତ୍ତ ବିଭାଗ ଉପସଚିବ ପାରୁଲ ପଟୁଆରୀଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ଏସ୍‌ସିବି ମେଡିକାଲରେ ପହଞ୍ଚି କ୍ଷେତ୍ର ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଦିଲ୍ଲୀର କନ୍‌ସଲ୍‌ଟାଣ୍ଟ ତଥା ଆର୍କିଟେକ୍ଟ ଡାକ୍ତର ଆର୍‌. ଚନ୍ଦ୍ରଶେଖରନ୍‌ ମଧ୍ୟ ଏସ୍‌ସିବିରେ ପହଞ୍ଚି ଭିତ୍ତିଭୂମିର ଯାଂଚ କରିଛନ୍ତି। ଏସ୍‌ସିବି ମ୍ୟାପ୍‌ ଦେଖିବା ସହ ଏସ୍‌ସିବିକୁ ସଂଲଗ୍ନ କରୁଥିବା ବିଭିନ୍ନ ସଂଯୋଗ ରାସ୍ତା, ଏସ୍‌ସିବିରେ ଖାଲି ପଡିଥିବା ବିଭିନ୍ନ ସ୍ଥାନ, ମାନସିକ ରୋଗ ବିଭାଗ, ହୃଦ୍‌ରୋଗ ବିଭାଗ ପାଖରେ ଥିବା ସୁଉଚ୍ଚ କୋଠା ସବୁ ଏହି ପ୍ରତିନିଧି ଦଳ ଯାଞ୍ଚ କରିଛନ୍ତି।

ସୂଚନା ଅନୁସା‌ରେ, ଏସ୍‌ସିବିକୁ ଏମ୍‌ସ ପ୍ଲସ୍‌ ଡାକ୍ତରଖାନାରେ ପରିଣତ କରାଯିବ। ଗତ ୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ସବୁ ଗଠନ କରାଯାଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଆଜି ପୂର୍ତ୍ତ ବିଭାଗ ଉପସଚିବ ପାରୁଲ ପଟୁଆରୀଙ୍କ ନେତୃତ୍ବରେ ଆସିଥିବା ଟିମ୍‌ ଡିଏମ୍‌ଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି, ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସରୋଜ କାନ୍ତ ସାହୁ ଓ ସମସ୍ତ ବିଭାଗୀୟ ମୁଖ୍ୟ, ସିଏମ୍‌ସି କମିସନର ଅନନ୍ୟା ଦାସ, ଉପଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର, ଆରଆଣ୍ଡବି ଓ ଆର୍‌ଡିର ନିର୍ବାହୀ ଯନ୍ତ୍ରୀ ତଥା ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେମାନେ କ୍ଷେତ୍ର ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ୩ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ହସ୍ପିଟାଲ ପାଇଁ ସ୍ଥାନ ଚିହ୍ନଟ କରିଥିଲେ। ଏହି ୩ହଜାର ଶଯ୍ୟା ବିଶିଷ୍ଟ ବହୁତଳ ପ୍ରାସାଦ କାମ ଆସନ୍ତା ୩ବର୍ଷ ଭିତରେ ଶେଷ କରିବା ପାଇଁ ଯୋଜନା ରହିଛି।

ଅନ୍ୟପଟେ ଆଜିର ସମୀକ୍ଷାରୁ ଜଣା ପଡିଚି ଯେ ଏସ୍‌ସିବିରେ ସେପ୍ଟେମ୍ବର ମାସ ସୁଦ୍ଧା ରୋଗୀ ସଂଖ୍ୟା ଯେତିକି ଥିଲା ୫-ଟି ପରେ ରୋଗୀ ସଂଖ୍ୟା ୬୦ ଭାଗ ବୃଦ୍ଧି ପାଇଛି। ବର୍ତ୍ତମାନ ଆଉଟ୍‌ଡୋରକୁ ୮ହଜାର ରୋଗୀ ଆସୁଥିବାବେଳେ, ଇନ୍‌ଡୋର ରୋଗୀ ସଂଖ୍ୟା ୩ ହଜାର ରହୁଛି। ସିଏମ୍‌ସି କମିସନର ଅନ୍ୟନ୍ୟା ଦାସ ମେଡିକାଲ ମଧ୍ୟରେ ପରିମଳ ବ୍ୟବସ୍ଥା ଆର୍ବଜନା ନିଷ୍କାସନ, ବର୍ଜ୍ୟବସ୍ତୁ ପରିଚଳନା, କୁକୁର ଓ ମାଙ୍କଡଙ୍କୁ ଘଉଡ଼ାଇବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

By amfnews

Related Post