Mon. Dec 23rd, 2024

ଏସ୍ସିବିରେ ବର୍ଜ୍ୟବସ୍ତୁ ପରିଚାଳନା ଅବହେଳା : ପ୍ରାକ୍ତନ ଅଧୀକ୍ଷକଙ୍କୁ ୪ମାସ ଜେଲ

By amfnews Apr 10, 2015
338 Views

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲ(ଏସସିବି) ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ହୋଇଥିବା ସଂକ୍ରାନ୍ତ ଏକ ମାମଲାର ବିଚାରକରି କଟକ ଏସଡିଜେଏମ ସଦର ବିବାଶ୍ୱତ ଗୈାତମ ବଡ ଡାକ୍ତରଖାନାର ପୂର୍ବତନ ଅଧୀକ୍ଷକ ଧୀରେନ୍ଦ୍ରନାଥ ମହାରଣାଙ୍କୁ ୪ ମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ତାଙ୍କୁ ଆଉ ଅଧିକ ଏକ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି  ।

ଏତଦ ବ୍ୟତୀତ ଏସସିବିକୁ କ୍ଷତିପୂରଣ ବାବଦକୁ ୫ଲକ୍ଷ ଟଙ୍କା ଦାଖଲ କରିବାକୁ ମଧ୍ୟ ଅଦାଲତ ନିର୍ଦେଶ ଦେଇଛନ୍ତି । ଉକ୍ତ ଟଙ୍କା ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବକୁ ପ୍ରଦାନ କରିବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏହି ଅର୍ଥ କର୍ପସ ଫଣ୍ଡ ଭଳି ଦୁଇ ବର୍ଷ ପର୍ଯ୍ୟନ୍ତ ରଖାଯିବ  । ଯଦି ବର୍ଜ୍ୟବସ୍ତୁ ପରିଚାଳନାରେ ବ୍ୟତିକ୍ରମ ଘଟି କୌଣସି କ୍ଷତି ହୁଏ ତେବେ ଏହି ଅର୍ଥରୁ ତାହା ଭରଣା କରାଯିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି  ।

ସୂଚନା ଥାଉକି କଟକ ବଡ ଡାକ୍ତରଖାନାରେ ବର୍ଜ୍ୟବସ୍ତୁ ପରିଚାଳନା ଠିକ୍ ଭାବରେ କରାଯାଉନଥିବା ନେଇ ଅଭିଯୋଗ ହୋଇଥିଲା । ୨୦୧୦ରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଚାଟାର୍ଜୀଙ୍କ ପକ୍ଷରୁ ଏସସିବି ବିରୋଧରେ ଏନେଇ ଏକ ଫୋଜøଦାରୀ ମାମଲା ରୁଜୁ କରାଯାଇଥିଲା  ।

ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦେଶନାମାକୁ କାର୍ଯ୍ୟକାରୀ ନକରିବାରୁ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଆଗତ ଆବେଦନରେ ଦର୍ଶାଯାଇଥିଲା ଯେ କର୍ତ୍ତୃପକ୍ଷ ବର୍ଜ୍ୟବସ୍ତୁ ପରିଚାଳନା ସଂକ୍ରାନ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି । ଏଥିସହିତ ୨୦୧୦ରୁ ଅନୁମତି ନ ନେଇ ପରିବେଶ ସୁରକ୍ଷା ଆଇନ ୧୯୮୬ର ନିୟମକୁ ମଧ୍ୟ ଉଲ୍ଲଙ୍ଘନ କରୁଛନ୍ତି  । ତେବେ କର୍ତ୍ତୃପକ୍ଷ ଅଦାଲତଙ୍କ ତାଗିଦ୍ ସତ୍ତ୍ୱେ ଆଇନକୁ କାର୍ଯ୍ୟକାରୀ କରିନଥିଲେ  । ଫଳରେ ଅଦାଲତରେ ବଡ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଧୀରେନ୍ଦ୍ରନାଥ ମହାରଣାଙ୍କ ବିରୋଧରେ ଉପରୋକ୍ତ ଫୌଜଦାରୀ ମାମଲା ରୁଜୁ କରାଯାଇ ତାର  ବିଚାର କରାଯାଇଥିଲା  ।

ଅଦାଲତରେ ଏହି ମାମଲାକୁ ଉଭୟ ପକ୍ଷ ଓ ପ୍ରତିପକ୍ଷଙ୍କ ଆଇନଜୀବୀ ପି.କେ ଲେଙ୍କା ଓ ଜି.କେ ମହାନ୍ତି ପରିଚାଳନା କରୁଥିଲେ । ଏହି ଦଣ୍ଡାଦେଶ ଘୋଷଣା ପରେ ଶ୍ରୀ ମହାରଣାଙ୍କ ପକ୍ଷରୁ ଉଚ୍ଚ ଅଦାଲତରେ ଆଶ୍ରୟ ନେବାକୁ ନିବେଦନ କରାଯାଇ ଜାମିନ ଆବେଦନ କରାଯାଇଥିଲା ଏବଂ ଏସଡିଜେଏମ ତାହାକୁ ଗ୍ରହଣକରି ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ।

By amfnews

Related Post