Sat. Mar 7th, 2026

ଏମାର ମଠର ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର !

258 Views

ପୁରୀ : ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ଭୂତଳ ଘର। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଉତ୍କଣ୍ଠା ବଢ଼ିଛି। ସ୍ଥାନୀୟ ଲୋକେ ଏହାକୁ ଭୂତଳ ଘର କହୁଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିନି। ପୁରୀର ପୁରୁଣା ମଠ ମଧ୍ୟରେ ରହିଛି ଏମାର ମଠ। କିଛି ବର୍ଷ ତଳେ ଏହି ମଠରେ ରୂପା ଇଟା ମିଳିଥିଲା। ଯାହାକୁ ନେଇ ଏମାର ମଠ ଚର୍ଚ୍ଚାରେ ରହିଥିଲା।

ସୂଚନାଯୋଗ୍ୟ, ଆଜି ସକାଳେ ଏମାର ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚାରିତାଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କାମ ମଧ୍ୟ ସରିଛି। ଏମାର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏମାର ମଠ ପରିସରରେ ଥିବା କର୍ମଚାରୀଙ୍କ ଘର ଉଚ୍ଛେଦ ପରେ ଖୋଲା ଆକାଶ ତଳେ କିଛି ଲୋକେ ଆସବାବପତ୍ର ଧରି ବସି ରହିଥିବା ଦେଖିବାକୁ ମିଳିଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବଗଲା ଧର୍ମଶାଳାରେ ୩ଟି ରୁମରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଥଇଥାନ ଦାବି କରିଛନ୍ତି ଲୋକେ।

By amfnews

Related Post