Sat. Mar 7th, 2026

ଏଫଏଟିଏଫ ବୈଠକ ବେଳେ ପାକିସ୍ତାନର ପୋଲ୍ ଖୋଲିଲା ଆମେରିକା

226 Views

ଓ୍ୱାଶିଂଟନ: ଗତକାଲିଠାରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ)ର ବୈଠକ ଆରମ୍ଭ ହୋଇଛି। ଏହି ସମୟରେ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ନେବାକୁ ଆମେରିକା ଚେତାବନୀ ଦେଇଛି। ଏଥିସହ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନର ପୋଲ୍ ଖୋଲିଛି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ।

ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ, ଏଥିସହ ହାଫିଜ ସୟିଦ ଭଳି ପ୍ରମୁଖ ଆତଙ୍କବାଦୀଙ୍କୁ ଦଣ୍ଡିତ କରିବା ଦରକାର ବୋଲି ଆମେରିକା କହିଛି।

ତେବେ ଏଫଏଟିଏଫର ବୈଠକ ପୂର୍ବରୁ ପାକିସ୍ତାନ ସରକାର ଲଶ୍କର-ଏ-ତୋଇବା (ଏଲଇଟି)/ ଜାମାତ-ଉଦ-ଦାବା (ଜେୟୁଡି)ର ଚାରି ପ୍ରମୁଖ ସଦସ୍ୟକୁ ଗିରଫ କରିଥିଲା। ପାକିସ୍ତାନ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଆମେରିକା ବିଦେଶ ମନ୍ତ୍ରଣାଳୟର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟୁରୋର ପ୍ରମୁଖ ଏଲିସ ବେଲ୍ସ।

ଆଗାମୀ ଦିନରେ ହାଫିଜ ସୟିଦ ଭଳି ପ୍ରମୁଖ ଆତଙ୍କବାଦୀଙ୍କୁ ପାକିସ୍ତାନ ଦଣ୍ଡିତ କରିବ ବୋଲି ସେ ଆଶା ରଖିଛନ୍ତି। ପାକିସ୍ତାନ ଅନେକ ଥର ଆତଙ୍କବାଦୀଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ ଛାଡ଼ି ଦେଇଛି ବୋଲି ଏଲିସ ବେଲ୍ସ କହିଛନ୍ତି। ଯାହାକି ଆତଙ୍କବାଦ ବିରୋଧରେ ପାକିସ୍ତାନ ନେଉଥିବା କାର୍ଯ୍ୟାନୁଷ୍ଠାନର ପୋଲ ଖୋଲିଛି ଆମେରିକା। ଏଫଏଟିଏଫ କଳା ତାଲିକାଭୁକ୍ତ କରିବ କି ନାହିଁ ଦୋଛକରି ପାକିସ୍ତାନ ରହିଛି। ଏଭଳି ସ୍ଥିତିରେ ଆମେରିକାର ଏହି ଚେତାବନୀ ପାକିସ୍ତାନର ଚିନ୍ତାକୁ ଆହୁରି ଦୁଇ ଗୁଣିତ କରିଛି।

ସୂଚନାଯୋଗ୍ୟ, ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି ବୋଲି ଏଫଏଟିଏଫ ଗତମାସରେ କହି ସାରିଛି। ଗତବର୍ଷ ଏଫଏଟିଏଫ ପାକିସ୍ତାନକୁ ‘ଗ୍ରେ’ ତାଲିକାରେ ରଖିଥିଲା। ହେଲେ ଚଳିତବର୍ଷ ଗ୍ରେ ଲିଷ୍ଟରେ ରଖିବ ନା କଳା ତାଲିକା ଭୁକ୍ତ କରିବ ସେ ନେଇ ଅଳ୍ପ ଦିନରେ ଜଣାପଡ଼ିବ। ତେବେ ଏଫଏଟିଏଫର ଏସିଆ-ପ୍ରଶାନ୍ତ ସମୂହ (ଏପିଜି) ପାକିସ୍ତାନକୁ କଳା ତାଲିକାଭୁକ୍ତ କରି ସାରିଛି।

By amfnews

Related Post