Sat. Mar 7th, 2026

ଏପ୍ରିଲ ପହିଲାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦% କମିଛି

256 Views

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ହେଲେ ପ୍ରଥମ ପର୍ଯ୍ୟାୟର ୭ ଦିନ ପରେ ଅର୍ଥାତ୍ ଏପ୍ରିଲ ୧ରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ୪୦ ପ୍ରତିଶତ କମିଛି। ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ଅଧିକ ଥିଲା ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ଦେଶ ଏବେ ସାମାଜିକ ଦୂରତ୍ୱ ଏବଂ କରୋନା ପ୍ରୋଟୋକଲକୁ ମାନୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।

ମୁଖ୍ୟତଃ କରେନା ଆକ୍ରାନ୍ତ ଗୋଟିଏ ସ୍ଥାନରୁ ଅଧିକ ଚିହ୍ନଟ ହେବା ପରେ ସରକାର ସେହି ସ୍ଥାନକୁ ହଟସ୍ପଟ ଘୋଷଣା କରିବା ଦ୍ୱାରା କରୋନା ସଂକ୍ରମଣର ଚେନକୁ ଅଟକାଇବା ସଫଳ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି। ଏପ୍ରିଲ ୧ ପରଠୁ ୧.୨ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ମାର୍ଚ୍ଚ ୧୫ରୁ ୩୧ ମଧ୍ୟରେ ଏହି ହାର ୨.୧ ଥିଲା। ଏହାର ଅର୍ଥ ସଂକ୍ରମିତଙ୍କ ସଂଖ୍ୟା ୪୦ ପ୍ରତିଶତ କମିଛି ବୋଲି ସଚିବ କହିଛନ୍ତି।

ସେହିପରି ଆକ୍ରାନ୍ତଙ୍କ ତୁଳନାରେ ହସ୍ପିଟାଲରୁ ଡିସଚାର୍ଜ ହାର ମଧ୍ୟ ବଢ଼ୁଛି। ଚଳିତ ସପ୍ତାହରେ ଗୁରୁବାର କେରଳରେ ସର୍ବାଧିକ ୨୪୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ତେଲେଙ୍ଗାନାରେ ୧୮୬, ତାମିଲନାଡୁରେ ୧୮୦, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ୧୬୪ ଜଣ ଲେଖାଏଁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେବେ ଦିଲ୍ଲୀରେ ଆରୋଗ୍ୟ ହାର କମ୍ ରହିଛି। ୧,୬୪୦ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୫୧ ଜଣ ଅର୍ଥାତ୍ ୩ ପ୍ରତିଶତ ଆରୋଗ୍ୟ ହୋଇଛନ୍ତି ଗୁରୁବାର।। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେବାର କାରଣ ତବଲିଗି ଜମାତଙ୍କ ଧାର୍ମିକ ସମ୍ମିଳନୀ ବୋଲି କୁହାଯାଉଛି। ଯାହାକି ମାର୍ଚ୍ଚ ତୃତୀୟ ସପ୍ତାହରେ ହୋଇଥିଲା। ସେତେବେଳେ ଦେଶ ମଧ୍ୟ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଲକଡାଉନ୍ ଘୋଷଣା କରାଯାଇଥିଲା।

ଏହାବାଦ ଏବେ କରୋନାରେ ଆରୋଗ୍ୟ ହାର ଓ ମୃତକଙ୍କ ଅନୁପାତ ୧୦୦ ଜଣଙ୍କ ମଧ୍ୟରେ ୮୦:୨୦ ରହିଛି ବୋଲି ଅଗ୍ରଓ୍ୱାଲ କହିଛନ୍ତି। ଏଯାବତ ୧୪, ୩୭୮ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି।

By amfnews

Related Post