ନୂଆଦିଲ୍ଲୀ: ଆସାମ ଭଳି ସମଗ୍ର ଦେଶରେ ବିବାଦୀୟ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନସ(ଏନ୍ଆରସି) ଲାଗୁ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଘୋଷଣା କରିବା ପରେ ଏହାକୁ ନେଇ ରାଜନୀତିକ ହଟଚମଟ ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଏଭଳି ଯୋଜନାକୁ ନିନ୍ଦା କରିବା ସହ ଭବଷ୍ୟତାରେ ଏହାକୁ କେବେ ହେଲେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ପ୍ରସଙ୍ଗରେ କହିଛନ୍ତି, “ଆମ ରାଜ୍ୟରେ କେବେ ହେଲେ ଏନ୍ଆରସି ଲାଗୁ ହେବନାହିଁ। ଏନ୍ଆରସି ଲାଗୁ କରିବା ନାଁରେ କିଛି ଲୋକ ଆମ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ ତୃଣମୂଳ କଂଗ୍ରେସ ରାଜ୍ୟରେ କ୍ଷମତାରେ ଥିବା ଯାଏ ଏନ୍ଆରସି ପଶ୍ଚିମବଙ୍ଗରେ ଲାଗୁ କରିବାକୁ ଦେବନାହିଁ। କେହି ଲୋକଙ୍କ ନାଗରିକତ୍ୱ ଅଧିକାରୀ ଛଡ଼ାଇ ନେଇ ସେମାନଙ୍କୁ ଶରଣାର୍ଥୀ କରିପାରିବେ ନାହିଁ। ଧର୍ମକୁ ନେଇ ଲୋକଙ୍କୁ କେହି ବି ଭାଗ ବାଣ୍ଟି ପାରିବେ ନାହିଁ।”
ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ମୁଁ ଭାବୁଛି ସରକାର ଓ ଶାସନ କରୁଥିବା ଦଳ ଧର୍ମ ଆଧାରରେ ସମାଜକୁ ଭାଗଭାଗ କରିବାକୁ ଚାହୁଁଛି। ଏନ୍ଆରସି ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଆଲୋଚନା ହେବା ଦରକାର। ସରକାର ନିଜ ଇଚ୍ଛାରେ ଏହାକୁ କାର୍ଯ୍ୟକାରୀ କରିପାରିବେ ନାହିଁ।”
ସେହିପରି ରାଜନୀତିର ଷ୍ଟ୍ରାଟେଜି ମେକର ତଥା ଜେଡିୟୁ ନେତା ପ୍ରଶାନ୍ତ କିଶୋର ମଧ୍ୟ ଏନ୍ଆରସି ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ଆସାମରେ ବର୍ତ୍ତମାନ ଚାଲିଥିବା ଏନ୍ଆରସି ବ୍ୟବସ୍ଥା ଉଚ୍ଛେଦ ହେବା ଦରକାର। ଏଥିସହ ଆସାମକୁ ଜାତୀୟ ସ୍ତରରେ ହେବାକୁ ଥିବା ଏନଆରସି ପ୍ରକ୍ରିୟାରେ ସାମିଲ କରାଯିବା ଉଚିତ।”
ଆସାମରେ ଲାଗୁ ହୋଇଥିବା ଏନ୍ଆରସି ବ୍ୟବସ୍ଥାର ଡ୍ରାଫ୍ଟ ଲିଷ୍ଟ ଅଗଷ୍ଟ ୩୧ରେ ପ୍ରକାଶ ପାଇଥିଲା। ଏହି ତାଲିକାରୁ ଦୀର୍ଘ ବର୍ଷ ହେଲା ଆସାମରେ ରହି ଆସୁଥିବା ପ୍ରାୟ ୧୯ ଲକ୍ଷ ଲୋକ ବାଦ ପଡ଼ିଥିଲେ। ଅର୍ଥାତ ଏମାନେ ଭାରତୀୟ ହେବାର ଯୋଗ୍ୟତା ହରାଇଛନ୍ତି।