Fri. Mar 7th, 2025

ଏଣିକି ବଢ଼ିବ ତାପମାତ୍ରା

By amfnews Feb 2, 2019 #Featured
271 Views

ଭୁବନେଶ୍ବର : ଫେବ୍ରୁଆରି ମାସରେ ୧୦ ଡିଗ୍ରି ତଳେ ଭୁବନେଶ୍ବର। ଗତ କିଛି ବର୍ଷର ସର୍ବନିମ୍ନ ତାପମାତ୍ରାକୁ ପଛରେ ପକାଇ ଫେବ୍ରୁଆରି ମାସରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା ୯.୯ ଡିଗ୍ରି ରହିଥିଲା। ଗତ ଦୁଇ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୮ ଫେବ୍ରୁଆରି ୪ରେ ଏଠାରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଥିବା ବେଳେ ୨୦୧୭ ଫେବ୍ରୁଆରି ୫ ତାରିଖରେ ୧୭ ଡିଗ୍ରି ଥିଲା। ଏଥର କିନ୍ତୁ ତାପମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି।

ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ପ୍ରବଳ ଥଣ୍ଡା ଜାରି ରହିଥିଲା। ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର ସମେତ କେନ୍ଦ୍ରୀୟ ଓଡ଼ିଶାରେ ଥଣ୍ଡା ଜାରି ରହିବ। ଏହାପରେ ତାପମାତ୍ରା ଧୀରେ ଧୀରେ ବଢ଼ିବ। ସେହିପରି ଅନ୍ୟ ସମସ୍ତ ଅଞ୍ଚଳରେ ସ୍ବାଭାବିକ ସ୍ଥିତିକୁ ଫେରିବ ତାପମାତ୍ରା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ହେଉଛି ଯେ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଭ୍ୟନ୍ତରୀଣ ମହାରାଷ୍ଟ୍ର‌ରେ ରାତିର ତାପମାତ୍ରା ହାରାହାରି ସ୍ତରଠାରୁ ତଳେ ରହିବ। ଓଡ଼ିଶାରେ ୨ରୁ ୪ ଡିଗ୍ରି ତଳେ ରହିବ ବୋଲି କୁହାଯାଇଛି।

ଗତକାଲି ଅପେକ୍ଷା ଆଜି ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ବଢ଼ିଛି। ଗତକାଲି ୧୫ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିଲା। ଆଜି ୯ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଅନୁଗୁଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୭.୫, ଦାରିଙ୍ଗବାଡ଼ିରେ ୮, ଭୁବନେଶ୍ବରରେ ୯.୯ ଡିଗ୍ରି ରେକର୍ଡ ହୋଇଛି।

By amfnews

Related Post