Fri. Mar 6th, 2026

ଏଚ୍‌ଆଇଭି ଆକ୍ରାନ୍ତଙ୍କ ବିବାହ ପଣ୍ଡ : ବେଦିରୁ ଉଦ୍ଧାର ହେଲା ନାବାଳିକା

291 Views

କଟକ : ଏଚ୍‌ଆଇଭି ଆକ୍ରାନ୍ତ ସହିତ ଜଣେ ନାବାଳିକାର ବିବାହ ଉଦ୍ୟମ ପଣ୍ଡ ହୋଇଛି। ଚାଇଲ୍ଡଲାଇନ୍‌ ଏ ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରିଛି। କଟକ ଚାଉଳିଆଗଂଜ ଥାନା ଅନ୍ତର୍ଗତ ନେହେରୁପଲ୍ଲୀ ଅଞ୍ଚଳଠାରେ ଘଟିଥିବା ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ନେହେରୁପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଗାଡ଼ି ଡ୍ରାଇଭର୍‌ (୨୫ ବର୍ଷ) ହେଉଛନ୍ତି ଏଚ୍‌ଆଇଭି ଆକ୍ରାନ୍ତ। ସେ ପୂର୍ବରୁ ଦୁଇ ଥର ବିବାହ କରିଥିବାବେଳେ ତାଙ୍କର ଦୁଇ ପତ୍ନୀଙ୍କର ମୃତ୍ୟୁ ଘଟିଛି। ଆଜି ତୃତୀୟ ଥର ପାଇଁ ନେହେରୁପଲ୍ଲୀରେ ରହୁଥିବା ଜଣେ ନାବାଳିକାଙ୍କୁ ସେ ବିବାହ କରୁଥିଲେ। ବିଦ୍ୟାଧରପୁର ଏନ୍‌ଆର୍‌ଆର୍‌ଆଇ ନିକଟରେ ଥିବା ବନ୍ଧୁ ବୈରାଗୀ ମନ୍ଦିରରେ ଦିନ ପ୍ରାୟ ୨ଟା ବେଳେ ବାହାଘର ଆରମ୍ଭ ହୋଇଥିଲା।

ମନ୍ଦିରରେ ନେହେରୁପଲ୍ଲୀରୁ ବରଯାତ୍ରୀ ପହଞ୍ଚିି ସାରିଥିଲା ବେଳେ ଭୋଜି ବି ଆରମ୍ଭ ହୋଇଥିଲା। ଚାଇଲ୍ଡ ଲାଇନ୍‌ର ଟୋଲ୍‌ ଫ୍ରି ନମ୍ବର ୧୦୯୮କୁ ସ୍ଥାନୀୟ ଲୋକେ ଯୋଗାଯୋଗ କରିବା ପରେ ଚାଇଲ୍ଡ ଲାଇନ୍‌ ସଦସ୍ୟ ନାରାୟଣ ଶୁକ୍ଳା, ଉତ୍ତମ କୁମାର ସାହୁ ଏବଂ ଜୁଲିନା ବେହେରା ପ୍ରମୁଖ ମନ୍ଦିରରେ ପହଞ୍ଚି ଘଟଣା ସମ୍ପର୍କର ଯାଞ୍ଚ କରିଥିଲେ। ବେଦିରେ ବର ବେଶରେ ଥିବା ଯୁବକ ଜଣକ ଏଚ୍‌ଆଇଭି ଆକ୍ରାନ୍ତ ହୋଇଥିବା ବେଳେ କନ୍ୟା ଜଣକ ନାବାଳିକା ବୋଲି ଜଣାପଡ଼ିଥିଲା।

ସେମାନେ ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଥିଲେ। ସେଠାରେ ବୟାନ ରେକର୍ଡ କରାଯାଇଥିଲା। ୧୮ ବର୍ଷ ପୂରଣ ନହେବା ପର୍ଯ୍ୟନ୍ତ ବିବାହ ହେବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପରେ ନାବାଳିକାକୁ ପରିବାରର ଜିମା ଦିଆଯାଇଥିଲା।

By amfnews

Related Post