ରାଉରକେଲା, ୧ା୧୧ : ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଆନୁକୂଲ୍ୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ହୋଇଥିଲା । ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ଗଣଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ, ସହରସେବା ଜିଏମ୍ ଏନ୍.କେ. ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ଶପଥପାଠ କରାଯାଇଥିଲା ।
ଅଂଶଗ୍ରହଣକାରୀ ସାଢ଼େ ୩ କିମି ଦୌଡ଼ିବା ପରେ ଉଦିତନଗର ଷ୍ଟାଡିୟମକୁ ଫେରିଥିଲେ । ଉଦ୍ଯାପନୀ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ମହାନୀୟତା ଓ ଦେଶର ଏକତ୍ରୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଗଣଦୌଡ଼ରେ ଅଂଶଗ୍ରହଣ କରିଥିବା ଗାନ୍ଧିବାଦୀ ସଂଗ୍ରାମୀ କାଶୀନାଥ ଝୁନଝୁନୱାଲା ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ମହିଳା, ପୁରୁଷ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ପ୍ରମୁଖ ଦୌଡ଼ରେ ସାମିଲ୍ ହୋଇଥିଲେ ।
ପତଞ୍ଜଳି ଯୋଗ ସମିତି, ସରନା ଯୁବକ ସଂଘ, ହରିୟାଣା ଯୁବକ ସଂଘ ଓ ମାରୱାଡି ଯୁବକ ସଂଘ କର୍ମକର୍ତ୍ତା ମଧ୍ୟ ଅଂଶଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ୧୫ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଏନ୍କେ ସାମନ୍ତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିରଞ୍ଜନ ସାମଲ, କ୍ରୀଡ଼ା ସହାୟକ ଇ ସିଦ୍ଦିକି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏନ୍ଏସ୍ଟିଏଫଡ଼ିସିର ଏପ ତିର୍କୀ, ପାନପୋଷ ସାଂଗଠନିକ ସଭାପତି ଜଗବନ୍ଧୁ ବେହେରା, ବିଜେପି ରାଜ୍ୟ ସମ୍ପାଦକ ଧିରେନ ସେନାପତି, କିଷନ ପ୍ରସାଦ ସାହୁ, ରମେଶ ଅଗ୍ରୱାଲ, ନିହାର ରାୟ, ରଘୁ ବଳ, ପ୍ରମିଳା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ରାଜ୍ୟ ଉପସଭାପତି ସୁକେଶୀ ଓରାମଙ୍କ ତତ୍ତ୍ୱାବଧାନରେ ଗଣଦୌଡ଼ ଆୟୋଜିତ ହୋଇଥିଲା । ପରିଶେଷରେ ସମାଜ କଲ୍ୟାଣ ବିଭାଗ ଡିଜିଏମ ହୀରାଲାଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।