Sun. Mar 8th, 2026

ଏକତରଫା ପ୍ରେମ କରି ଡକାୟତ ଗିରଫ : ଥାନାରେ ହାତ କାଟିଦେଲା

212 Views

ପୁରୀ : ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରି ତାଙ୍କ ପରିବାରକୁ ଧମକଚମକ ଦେବା ଅଭିଯୋଗରେ ପୁଲିସ ଜଣେ ଜେଲ ଫେରନ୍ତା ଡକାୟତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଅଠରନଳାର ଲିଟୁ ନାୟକ (୨୫)।

ପୁଲିସ ସୂଚନା ଅନୁଯାୟୀ, ଲିଟୁ ବିଭିନ୍ନ ଅପରାଧରେ ସମ୍ପୃକ୍ତ। ‌ଢ଼େଙ୍କାନାଳରେ ଡକାୟତି କରି ସେ ୭ ବର୍ଷ ଜେଲ ଦଣ୍ଡ ମଧ୍ୟ ଭୋଗି ସାରିଛି। ଏବେ ସେ ଜଣେ ୧୫ ବର୍ଷର ନାବାଳିକାକୁ ବଳପୂର୍ବକ ପ୍ରେମ କରୁଛି। ଟିଉସନ ଯାଉଥିବା ବେଳେ ଏହି ଛାତ୍ରୀଙ୍କୁ ସେ ରାସ୍ତାରେ କମେଣ୍ଟ ମାରିବା ସହିତ ହତ୍ୟା ଧମକ ଦେଇଥିଲା। କଳେବଳେ କୌଶଳେ ଏହି ଛାତ୍ରୀଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲା। ଗତକାଲି ଛାତ୍ରୀଙ୍କ ବାପା ଅଠରନଳା ଆଡ଼କୁ ଯାଇଥିବା ବେଳେ ସେଠାରେ ଲିଟୁ ତାଙ୍କୁ ଠେଲାପେଲା କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଛାତ୍ରୀଙ୍କ ବାପା ଓ ତାଙ୍କ ବନ୍ଧୁ ଲିଟୁକୁ ଧରି ସଦର ଥାନାରେ ପହଞ୍ଚିଥିଲେ।

ଥାନାରେ ଛାତ୍ରୀଙ୍କ ବାପା ସମସ୍ତ ଘଟଣା ଜଣାଇବା ପରେ ଲିଟୁକୁ ଆଇଆଇସିଙ୍କ ପାଖକୁ ନିଆଯାଇଥିଲା। ସେଠାରେ ଆଇଆଇସିଙ୍କ ସମ୍ମୁଖରେ ଛିଡ଼ା ହୋଇ ଲିଟୁ ଫିଲ୍ମ ଷ୍ଟାଇଲରେ ମୁଁ ହାର୍ଟ ଦେଇ ଲଭ୍ କରୁଛି ବୋଲି ଡାଇଲଗ ମାରିବା ସହ ପକେଟରୁ ଏକ ବ୍ଲେଡ୍ ବାହାର କରି ନିଜ ବାମ ହାତକୁ କାଟି ଦେଇଥିଲା। ସଙ୍ଗେ ସଙ୍ଗେ ପୁଲିସ ଲିଟୁକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଆଜି ଲିଟୁକୁ କୋର୍ଟଚାଲାଣ କରିଛି।

By amfnews

Related Post