Sat. Nov 2nd, 2024

ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ,ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

By amfnews Dec 27, 2019 #Featured
96 Views

ବଲାଙ୍ଗୀର : ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିବା ଜଣାଯାଇଛି। ଖରାପ ପାଗ ପାଇଁ ତାଙ୍କର ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଥିବାର ସୂଚନା ମିଳିଛି। ଆଜି ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥାନ୍ତେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ । ତା’ଛଡ଼ା ଉପରାଷ୍ଟ୍ରପତିଙ୍କର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍ଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ ବୋଲି ଜଣାଯାଇଛି।

ଏଥିଲାଗି ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖ ଯୋଗ ଦେବାଲାଗି ସେଠାରେ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଶିଳ୍ପବିହୀନ ବଲାଙ୍ଗୀର ଜିଲ୍ଲାରେ ଅର୍ଥନୀତିର ବିକାଶ ପାଇଁ ବଟଲିଂ ପ୍ଲାଣ୍ଟର ପରିକଳ୍ପନା ହୋଇଥିଲା। ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାରେ ଏଲ୍‌ପିଜିର ବଢୁଥିବା ଚାହିଦା ପୂରଣ କରିବାକୁ ପ୍ଲାଣ୍ଟ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ମସିହା ମଇ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଅବଧି ୨୪ ମାସ ଥିଲେ ହେଁ ରେକର୍ଡ ସମୟରେ ୧୯ ମାସ ଭିତରେ କାମ ସରି ଏହାର ଉଦ୍‌ଘାଟନ ହେବ। ସେହିପରି ୧୯୪୪ ମସିହାରେ ପ୍ରତିଷ୍ଠାଲାଭ କରିଥିବା ରାଜେନ୍ଦ୍ର କଲେଜ ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି। ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏକଜୁଟ ହୋଇ ଉତ୍ସବକୁ ମହାସମାରୋହରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ସାରା ସହର ପ୍ଲାଟିନମ ଜୁବୁଲିର ସାଂସ୍କୃତିକ ଶୋଭାଯାତ୍ରାରେ ଉତ୍ସବମୁଖର ହୋଇ ଉଠିଥିଲା। କିନ୍ତୁ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ଖବର ଶୁଣି ସେ ଅଞ୍ଚଳରେ ଲୋକଙ୍କ ଭିତରେ ଉତ୍ସାହ କମିଯାଇଥିବା କୁହାଯାଉଛି।

By amfnews

Related Post