144 Views
ଉତରକାଶୀ, ସେପ୍ଟେମ୍ବର ୦୩:
ଉତରାଖଣ୍ଡ ଉତରକାଶୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଗଙ୍ଗୋତ୍ରୀ ଜାତୀୟ ରାଜପଥର ଭଟବାରୀ ଅଂଚଳରେ ୨୨ ସିଟ୍ ବିଶିଷ୍ଟ ଏକ ଅଟୋ ଘାଟିରୁ ୧୦୦ ମିଟର ତଳକୁ ଖସିଯିବା ଫଳରେ ୧୩ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ୨ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ସମସ୍ତ ମୃତାହତ ସ୍ଥାନୀୟ ଅଂଚଳର ବାସିନ୍ଦା ବୋଲି ଜଣାପଡିଛି । ଅଟୋରେ ମୋଟ ୧୫ଜଣ ଯାତ୍ରୀ ଥିଲେ । ଆହତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ମେଡିକାଳରେ ଭର୍ତି କରାଯାଇଛି । ସମସ୍ତ ଯାତ୍ରୀ ଗଙ୍ଗୋତ୍ରୀ ଧାମକୁ ଯାତ୍ରା କରୁଥିଲେ । କିନ୍ତୁ ଘାଟିରେ ହଠାତ ଭୂସ୍କଳନ ହେବାରୁ ଅଟୋଟି ୧୦୦ ମିଟର ଖାଇ ମଧ୍ୟକୁ ଖସି ଯାଇଥିଲା ।
ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ପାଣିପାଗ ଖରାପ ହେତୁ ଶବଗୁଡିକୁ ବାହାର କରିବା କଷ୍ଟକର ବୋଲି ଜଣେ ଉଦ୍ଧାରକାରୀ କହିଛନ୍ତି ।