Sun. Mar 8th, 2026

ଉଚ୍ଛେଦକୁ ବିରୋଧ, ଦେବଗଡ଼ ଆଂଶିକ ବନ୍ଦ

137 Views

ଦେବଗଡ଼  : ପୌର ପରିଷଦ ପକ୍ଷରୁ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ବୁଧବାର ନବଗଠିତ ବଣିକ ସଂଘ ପକ୍ଷରୁ ଦିଆଯାଇଥିବା ୨୪ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରାର ଆଜି ସହରରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ସରକାରୀ କାର୍ଯ୍ୟାଳୟଗୁଡ଼ିକ ସହ ପରିବା ମାର୍କେଟ୍‌ ଖୋଲା ରହିଥିବା ବେଳେ ଗାଡ଼ି ଚଳାଚଳ ବି ସ୍ବାଭାବିକ ରହିଥିଲା। ଆଜି ସକାଳେ ସଂଘର ସଭାପତି ସୁଶୀଳ କପରଦାର ଓ ସଦସ୍ୟମାନେ ଦେବଗଡ଼ ମୁଖ୍ୟ ବଜାରରେ ବୁଲି ବୁଲି ଦୋକାନ ବଜାର ବନ୍ଦ କରି ସେମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ଏହି ସମୟରେ ସେଠାରେ ପୁଲିସ ପହଞ୍ଚି ସେମାନଙ୍କୁ ଅଟକ ରଖିବାରୁ ପରିବା ମାର୍କେଟ ଖୋଲା ରହିଥିଲା। ତେବେ ଗଣ୍ଡଗୋଳ ଆଶଙ୍କା କରି କେତେକ ବ୍ୟବସାୟୀ ସ୍ୱତଃପ୍ରବୃତ୍ତ ଭାବେ ନିଜ ଦୋକାନ ବନ୍ଦ ରଖିଥିଲେ। କାଁ ଭଁ ‌କେତୋଟି ଦୋକାନ ଖୋଲା ରହିଥିଲା। ପରେ ପୁଣି ଥରେ ଶ୍ରୀ କପରଦାର ଅନ୍ୟ ସଦସ୍ୟଙ୍କ ସହ ମିଶି ୧୦ଟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କୋର୍ଟ କଚେରି ବନ୍ଦ କରିବାକୁ ପିକେଟିଂ କରୁଥିବା ସମୟରେ ପୁଲିସ୍‌ ଶ୍ରୀ କପରଦାର ଓ ବାପି କପରଦାରଙ୍କୁ ଗିରଫ କରିବା ସହ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲା। ଯଦ୍ବାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ଓ ସମସ୍ତ ସ୍କୁଲ୍‌ କଲେଜ ଖୋଲା ରହିଥିଲା। ତେବେ ସଂଘର କିଛି ସଦସ୍ୟ ଯାଇ ବ୍ୟାଙ୍କ୍‌ଗୁଡ଼ିକୁ ବନ୍ଦ କରି ଦେଇଥିଲେ।

ବନ୍ଦ ସମୟରେ ଜାତୀୟ ରାଜପଥ ଅବରୋଧ ନ କରିବାକୁ ସଂଘ ପକ୍ଷରୁ ବାଦ୍‌ ଦିଆଯାଇଥିବାରୁ ଯାନବାହନ ଚଳାଚଳ ସ୍ବାଭାବିକ ରହିଥିଲା। କିନ୍ତୁ ବନ୍ଦ ଡାକରା ଯୋଗୁଁ କାଁ ଭାଁ କେତୋଟି ବସ୍‌ ଚଳାଚଳ କରୁଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ ୩ଟି ଯାକ ବ୍ଲକ୍‌ରେ ବନ୍ଦ ସଂପୂର୍ଣ୍ଣ ପ୍ରଭାବହୀନ ଥିବା ଜଣାପଡ଼ିଛି।

By amfnews

Related Post