Fri. Mar 6th, 2026

ଈଶ୍ୱର ଚନ୍ଦ୍ର ସାମଲଙ୍କ ନବମ ବାର୍ଷିକ ଶ୍ରାଦେ୍ଧାତ୍ସବପାଳିତ

362 Views

ଢେଙ୍କାନାଳ : ସ୍ଥାନୀୟ ସଂସ୍କୃତି ଭବନରେ ଶାଣ୍ଡିଲ୍ୟ ବସନ୍ତ ଭବନ ପରିସରରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପକ୍ଷରୁ ଢେଙ୍କାନାଳ ମାନ୍ୟବର ବିଧାୟକ ସରୋଜ କୁମାର ସାମଲଙ୍କ ପିତା  ସୁସାହିତ୍ୟିକ କବି ଈଶ୍ୱର ଚନ୍ଦ୍ର ସାମଲଙ୍କ ୯ମ ବାର୍ଷିକ ଶ୍ରାଦେ୍ଧାତ୍ସବ  ସକାଳ ୯ ଘଟିକା ସମୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଲେଖକ ସଂସଦର ସଭାପତି ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଶତୃଘ୍ନ ଭୂତିଆ ସଭାପତିତ୍ୱ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ମନୋରଞ୍ଜନ ନନ୍ଦ ଯୋଗଦାନ କରି ସୁସାହିତ୍ୟିକ ଓ କବି ଈଶ୍ୱର ଚନ୍ଦ୍ର ସାମଲଙ୍କ ବହୁମୁଖୀ ସାହିତ୍ୟ ପ୍ରତିଭା ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ସାହିତ୍ୟିକ ଏକାଡେମୀର ପ୍ରାକ୍ତନ ସଦସ୍ୟ ପ୍ରାଧ୍ୟାପକ ଧନେଶ୍ୱର ସାହୁ ଯୋଗଦାନ କରି କବିଙ୍କ କବି ପ୍ରତିଭାର ମୂଲ୍ୟାୟନ କରି ତାହା ତତ୍କାଳୀନ ସାହିତ୍ୟ ଜଗତରେ ଚିର ଜାଜୁଲ୍ୟମାନ ହୋଇ ରହିବ ବୋଲି ମତପ୍ରକାଶ କରିଥିଲେ ।

ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ କବିଙ୍କର କବିତା ଓ ଗଳ୍ପ ପୁସ୍ତକ ଦେହ ଓ ମନର ସମୀକ୍ଷାତ୍ମକ ପ୍ରବନ୍ଧ ପାଠ କରିଥିଲେ । କବିଙ୍କର ସଂପର୍କୀୟ ଭାଇ ବରିଷ୍ଠ ଶିକ୍ଷାବିତ୍ ବିଜୟ କୁମାର ସାମନ୍ତ ସ୍ୱର୍ଗୀୟ ସାମଲଙ୍କର ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ଢେଙ୍କାନାଳର ଯୁବ ସମାସେବୀ ସଂଗ୍ରାମ ଶତପଥୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି କବିଙ୍କ ଜୀବନ ସଂଗ୍ରାମ ଓ ସାହିତ୍ୟିକ କୃତି ସଂପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ ।

ସଭା ପ୍ରାରମ୍ଭରେ ଜଗନ୍ନାଥ ପ୍ରତିକୃତିରେ ଓ ସ୍ୱର୍ଗୀୟ କବିଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ସ୍ୱର୍ଗୀୟ କବିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସଂପାଦକ ବସନ୍ତ କୁମାର ପଟ୍ଟନାୟକ ସଭା ସଂଯୋଜନା କରିଥିଲେ । ସଂସଦର ଯୁଗ୍ମ ସଂପାଦକ ଡା. ଦେବୀ ପ୍ରସାଦ ମିଶ୍ର କବିତା ସଂଯୋଜନା, କବିତାପାଠ ଓ ଧନ୍ୟବାଦାର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା ।

ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ  କରିବାରେ ସଂସଦର ଉପସଭାପତି  ସାରଙ୍ଗଧର ମିଶ୍ର, ଗଗନ ବିହାରୀ ନନ୍ଦ, କୋଷାଧ୍ୟକ୍ଷ କାଳନ୍ଦୀ ଚରଣ ସାହୁ, ଇଂ. ସୌମ୍ୟବ୍ରତ ସାହୁ, ଦେବରାଜ ସାହୁ, ଜ୍ୟୋତିର୍ମୟୀ ନାଥ, ମାନସୀ କର, ହୃଦାନନ୍ଦ ଦ୍ୱିବେଦୀ, ସନ୍ତୋଷ ବେହେରା, କୁଞ୍ଜ ବିହାରୀ ସାହୁ, ଅବସରପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ, ଦେବକୀ ଦେଇ, ବାହାଦୁର ପାଟ୍ଟସାହାଣୀ, ସରିତା ପାଟ୍ଟସାହାଣୀ, ଉପେନ୍ଦ୍ର କୁମାର ରାଉତ, କୃଷ୍ଣଚନ୍ଦ୍ର ସାହୁ, କୃଷିଦା ବେଗମ୍, ଶେଖ ଅବ୍ଦୁଲ୍ ରଫିକ୍ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Related Post