212 Views
ବେଙ୍ଗାଲୁରୁ: ଇସ୍ରୋ ଆଜି ଟୁଇଟର ଜରିଆରେ ସୂଚନା ଦେଇଛି ଯେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି। ଇସ୍ରୋ ମଙ୍ଗଳବାର ଟୁଇଟ୍ କରି ଆହୁରି ସୂଚନା ଦେଇଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ ତାହା ସହ କୌଣସି ଯୋଗାଯୋଗ କରି ହେଉ ନାହିଁ। ଏଥିପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଇସ୍ରୋ ଆହୁରି ଏଗାର ଦିନ ଧରି ଲଗାତାର ପ୍ରୟାସ କରିବ ବୋଲି କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ରବିବାର ମଧ୍ୟରାତ୍ରରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିଲୋମିଟର ଉଚ୍ଚତାରେ ଥାଇ ଯେତେବେଳେ ସୂକ୍ଷ୍ମ ଅବତରଣ ବା ସଫ୍ଟ ଲାଣ୍ଡିଂ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ସେତିକିବେଳେ ବିକ୍ରମରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ ବଦଳରେ ହାର୍ଡ ଲାଣ୍ଡିଂ ବା କ୍ରାସ୍ ଲାଣ୍ଡିଂ କରିଥିଲା ଲାଣ୍ଡର ବିକ୍ରମ।

ଏହା ପରଠାରୁ ଲାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଥିଲା। ପଡ଼ିଥିବା ଲାଣ୍ଡର ବିକ୍ରମ ସହ ପୁନଃ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ପାଇଁ ଇସ୍ରୋର ବୈଜ୍ଞାନିକମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି।