Mon. Nov 25th, 2024

ଇରାନ ଠାରୁ ତୈଳ ଆମଦାନୀ ପ୍ରସଙ୍ଗରେ ଟ୍ରମ୍ପଙ୍କ ଟ୍ୱିଟ୍, କହିଲେ ଆସୁଛି ପ୍ରତିବନ୍ଧକ

By amfnews Nov 3, 2018 #Featured
100 Views

ନୂଆଦିଲ୍ଲୀ, ନଭେମ୍ବର ୦୩ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତକୁ ଇରାନଠାରୁ ତୈଳ କ୍ରୟ ନେଇ ଲଗାଇଥିବା ପ୍ରତିବନ୍ଧକକୁ କୋହଳ କରିଥିଲେ ସୁଧା ଅନ୍ୟ ଦେଶମାନଙ୍କ ପାଇଁ ତାଙ୍କର ମନୋଭାବ ଶକ୍ତ ରହିଛି । ଟ୍ରମ୍ପଙ୍କ ଏକ ଟ୍ୱିଟରେ ଏନେଇ ସୂଚନା ମିଳିଛି ।

ପୂର୍ବରୁ ଆମେରିକା ଚାହୁଁଥିଲା କି ଭାରତ ସମେତ ଅନ୍ୟଦେଶ ନଭେମ୍ବର ୪ରୁ ଇରାନଠାରୁ ତୈଳ କ୍ରୟ ସମ୍ପୂର୍ଣ୍ଣ ବନ୍ଦ ରଖିବେ । କାରଣ ସେହିଦିନ ଠାରୁ ଇରାନ ଉପରେ ଆମେରିକାର ପ୍ରତିବନ୍ଧକ ଲାଗୁ ହୋଇଯିବ । କିନ୍ତୁ ବର୍ତମାନ ଆମେରିକା ତରଫରୁ ୮ଟି ଦେଶକୁ ପ୍ରତିବନ୍ଧକରୁ ମୁକ୍ତ କରିଥିବା ଖବର ଆସିଛି ।

ଆମେରିକାର ଏହି କୋହଳ ମନୋଭାବ ଅନ୍ୟ ଦେଶଙ୍କୁ ମିଳି ନପାରେ । ଏନେଇ ଟ୍ରମ୍ପଙ୍କ ଏକ ଟ୍ୱିଟରେ ଜଣାପଡିଛି । ଟ୍ରମ୍ପ ନିଜର ଏକ ପୋଷ୍ଟର ଟ୍ୱିଟ କରି ଲେଖିଛନ୍ତି ଯେ ପ୍ରତିବନ୍ଧକ ଲାଗୁ ହେବାକୁ ଯାଉଛି, ୫ ନଭେମ୍ବର । ଏହି ଟ୍ୱିଟରେ ସ୍ପଷ୍ଟ ଜଣାପଡୁଛି କି ଟ୍ରମ୍ପ ପ୍ରତିବନ୍ଧକକୁ ନେଇ ଏକ ବଡ ନିଷ୍ପତି ନେଇପାରନ୍ତି ।

ଗତକାଲି ଆମେରିକା ଭାରତ ସହିତ ଅନ୍ୟ ସାତୋଟି ଦେଶକୁ ଇରାନଠୁ ତୈଳ ଆମଦାନୀ କରିବା ଉପରେ କୋହଳ ଦେବାକୁ ନିଷ୍ପତ୍ତି ନେଇଥିଲା।  କୋହଳ ପାଇଥିବା ଦେଶଗୁଡିକ ମଧ୍ୟରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟ ସାମିଲ। ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ନିଜର ପରିଚୟ ଗୋପନ ରଖିବା ସର୍ତ୍ତରେ ବ୍ଲୁମର୍ଗକୁ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକେଲ ପାମ୍ପିଓ ଶୁକ୍ରବାର ଏହାର ଘୋଷଣା କରିବେ ।

ଉଲ୍ଲେଖଯୋଗ୍ୟ କି, ଆମେରିକା ଏବେ ପରମାଣୁ ରାଜିନାମା ପ୍ରସଙ୍ଗକୁ ନେଇ ଇରାନ ସହ ଆଲୋଚନା କରିବାକୁ ଚାହୁଁଛି, ମାତ୍ର ଏଥିପାଇଁ ଇରାନ ପ୍ରସ୍ତୁତ ନୁହଁ। ଯାହାକୁ ନେଇ ଆମେରିକା ଅନେକ ପ୍ରତିବନ୍ଧକ ଲଗାଇ ଇରାନର ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ୟୁଏସ ଦୁନିଆକୁ ନଭେମ୍ବର ୪ରୁ ଇରାନଠୁ ତୈଳ ଆମଦାନୀ ନକରିବାକୁ ଅପିଲ କରିଛି। ମାତ୍ର ଆମେରିକା କିଛି ଦେଶ ପାଇଁ କୋହଳ ଆଭିମୁଖ୍ୟ ଆପଣେଇଛି। ଆମେରିକା କହିଛି ଯେ ସର୍ତ୍ତରେ ଯେଉଁ ଦେଶ ପ୍ରତି କୋହଳ କରାଯାଇଛି ସେମାନେ ଧୀରେ ଧୀରେ ଇରାନଠୁ ତୈଳ ଆମଦାନୀ ହ୍ରାସ କରିବେ। ଭାରତ ପରି ଦେଶ ଏହି ଦଲିଲ ଦେଇଛନ୍ତି ଯେ ଯଦି ଇରାନକୁ  ଥରକେ ବହିଷ୍କାର କରିଦିଆଯାଏ ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ଆକାଶ ଛୁଆଁ ହୋଇଯିବ। ଏଥିରେ ତୈଳ ଆମଦାନୀ ଦେଶଗୁଡିକର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ।

ଇରାନଠୁ ସବୁଠୁ ବଡ଼ ତୈଳ ଆମଦାନୀକାରୀ ଦେଶ ଚୀନ କୋହଳ ପାଇବା ପାଇଁ ଏବେ ବି ଆମେରିକା ସହିତ ଆଲୋଚନା କରୁଛି। ଅନ୍ୟ ପଟେ ଭାରତ, ଜାପାନ, ଦକ୍ଷିଣ କୋରିଆ ଓ ଚୀନ ବ୍ୟତୀତ ଆଉ କେଉଁ ଚାରୋଟି ଦେଶକୁ ଆମେରିକା ନିଜ ନିଷ୍ପତ୍ତିରେ କୋହଳ ଦେଇଛି ଏହାର ଖୁଲାସା ହୋଇ ପାରିନାହିଁ।

By amfnews

Related Post