Mon. Mar 9th, 2026

ଇରାନର ମିସାଇଲ ମାଡ଼ ପରେ ଭାରତ ଜାରି କଲା ସତର୍କ ସୂଚନା

213 Views

ନୂଆଦିଲ୍ଲୀ: ଆମେରିକା ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀ ପ୍ରାଣ ହରାଇବା ଓ ଏହାର ବଦଲା ନେବା ପାଇଁ ଇରାନ ଆଜି ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ମିସାଇଲ ମାଡ଼ କରିବା ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରି ଦେଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆଜି ଭାରତୀୟଙ୍କ ପାଇଁ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଇରାକରେ ରହୁଥିବା କିମ୍ବା ଇରାକ ଯିବାକୁ ଚାହୁଁଥିବା ଭାରତୀୟମାନେ ଅଧିକ ସତର୍କ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇବା ଯାଏ ଭାରତୀୟ ନାଗରିକମାନେ ଆବଶ୍ୟକ ନଥିଲେ ଇରାକ ଯାଆନ୍ତୁ ନାହିଁ।

ସେହିପରି ଇରାକରେ ଥିବା ଭାରତୀୟମାନେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ ଓ ଇରାକରେ ମନଇଚ୍ଛା ଏଣେତେଣେ ଭ୍ରମଣ ନ କରନ୍ତୁ। ବାଗଦାଦରେ ଥିବା ଦୂତାବାସ ଓ ଇରବିଲରେ ଥିବା କନସଲଟାଣ୍ଟ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଭାରତୀୟମାନେ ଚାହିଁଲେ ଯୋଗାଯୋଗ କରିପାରିବେ।”

ସେହିପରି ବେସମାରିକ ବିମାନ ଚଳାଚଳର ଡିଜି ମଧ୍ୟ ବିମାନ ଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇରାନ, ଇରାକ ଓ ଗଲ୍ଫ ଦେଶର ଆକାଶରେ ଉଡ଼ାଣ ବେଳେ ସମସ୍ତ ପ୍ରକାରର ସତର୍କତା ଓ ପ୍ରତିଶେଧକ ମୂଳକ ବ୍ୟବସ୍ଥା ଆପଣାଇବାକୁ କହିଛନ୍ତି। ଏମିତି କି ଦରକାର ପଡ଼ିଲେ ଏହି ସବୁ ଆକାଶ ପଥକୁ ବାରଣ କରିବାକୁ ମଧ୍ୟ ଡିଜିସିଏ ପକ୍ଷରୁ କୁହାଯାଇଛି। ଏଥିସହ ସମସ୍ତ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ସହ ଡିଜିସିଏ ବୈଠକ କରିବ ବୋଲି ମଧ୍ୟ ଜଣାପଡ଼ିଛି।

By amfnews

Related Post