Sun. Mar 8th, 2026

ଇମ୍ରାନ ସରକାରର ହେବ ପତନ! ପାକିସ୍ତାନର ଅର୍ଥନୀତି ପ୍ରସଙ୍ଗରେ ବୈଠକ କଲେ ସେନା ମୁଖ୍ୟ

159 Views

ଇସଲାମାବାଦ  : କଶ୍ମୀର ପ୍ରସଙ୍ଗକୁ ଆଗକୁ ଆଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶର ଆର୍ଥିକ ସ୍ଥିତି ପ୍ରସଙ୍ଗକୁ କିଛି ଦିନ ଲୁଚାଇବାରେ ସକ୍ଷମ ହେଲେ। ଏବେ କିନ୍ତୁ ପାକିସ୍ତାନର ଲୋକ ଚେତିଗଲେ। ଦେଶରେ ଦେଖାଦେଇଥିବା ମହଙ୍ଗା ପରିସ୍ଥିତିରେ ଆଉଟ ପାଉଟ ହେଉଥିବା ପାକିସ୍ତାନବାସୀ ଶେଷରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି। ଏମିତିକି ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ଭୋଟ ଦେଇ କ୍ଷମତାରୁ ହଟାଇଥିଲେ ସେହି ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରିଛନ୍ତି ପାକିସ୍ତାନବାସୀ।

ପାକିସ୍ତାନବାସୀ ଅଭିଯୋଗ କରିଛନ୍ତି ଯେ ଇମ୍ରାନ୍ ସରକାରଙ୍କ ପାଇଁ ସେମାନେ ଏବେ ରାସ୍ତାକୁ ଚାଲି ଆସିଛନ୍ତି। ଦେଶ ବାବଦରେ ଇମ୍ରାନ୍ ଏଯାଏ କିଛି ଚିନ୍ତା କରିନଥିବା କହିଛନ୍ତି। କ୍ଷମତାକୁ ଆସିବା ପରେ ଦେଶର ଆର୍ଥିକ ସ୍ଥିତି, ବେରୋଜଗାର ବଢ଼ିବାରେ ଲାଗିଛି। ଏବେ ବି ଇମ୍ରାନ୍ ଖାନ୍ ଚୌକା, ଛକ୍କା ମାରିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି।

ଅନ୍ୟଜଣେ ସାଧାରଣ ଲୋକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଦେଶରେ ବ୍ୟବସାୟ ଠପ୍ ହୋଇପଡ଼ିଛି। ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ସରକାର ବିଭିନ୍ନ ଜିନିଷରେ ଟ୍ୟାକ୍ସ ଲାଗୁ କରିବାରେ ବ୍ୟସ୍ତ।

ସେହିପରି ଅନ୍ୟଜଣେ ସାଧାରଣ ଲୋକ କହିଛନ୍ତି ପାକିସ୍ତାନ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତି ଘଣ୍ଟାରେ ୪ ଲକ୍ଷ ଟଙ୍କା କ୍ଷତି କରୁଛି। ଆମେ ସାଧାରଣ ଲୋକ କାହିଁକି ଟ୍ୟାକ୍ସ ଦେଇ କ୍ଷତିଭରଣ କରିବୁ? ଯେଉଁ ସରକାର (ନଓ୍ୱାଜ ସରିଫ୍)କୁ ଇମ୍ରାନଙ୍କ ଦଳ ଚୋର କହୁଥିଲା ତାଙ୍କୁ ହିଁ କ୍ଷମତାକୁ ଆଣିବା ଦରକାର। ସେ ହିଁ ଦେଶରେ କିଛି କରିପାରିବେ। ଇମ୍ରାନଙ୍କ ଅପେକ୍ଷା ସେ ହିଁ ଭଲ ଶାସନ ଦେଇପାରିବେ। ନଓ୍ୱାଜ ସରିଫ୍ ବ୍ୟବସାୟୀକ ଲୋକ ତେଣୁ ସେ ହିଁ ଦେଶକୁ ଏଭଳି ସ୍ଥିତିରୁ ମୁକୁଳାଇପାରେବି। ଇମ୍ରାନ୍ କେବଳ ଚୌକା, ଛକ୍କା କଥା କହୁଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ‘ଡନ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ୱା ବୁଧବାର ଦେଶର ଶିଳ୍ପପତି ଓ ବ୍ୟବସାୟୀଙ୍କ ସହ ବୈଠକ କରିଛନ୍ତି। ଯାହାକି ଦେଶର ରାଜନୀତିକ ପରିବର୍ତ୍ତନର ଆଭାସ ଦେଇଛି। ଏହି ବୈଠକରେ କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନୁପସ୍ଥିତ ଥିଲେ।

ପାକିସ୍ତାନର ଆର୍ଥିକ ବ୍ୟବସ୍ଥା ବହୁତ୍ ଖରାପ ରହିଛି। ଏଥିରୁ ମୁକୁଳିବା ପାଇଁ ଇମ୍ରାନ୍ ସରକାର ନେଇଥିବା ପଦକ୍ଷେପ ବିଫଳ ହେବାରେ ଲାଗିଛି। ତେଣୁ ଇମ୍ରାନଙ୍କ ଉପରେ ଏବେ ସମସ୍ତେ ଖପ୍ପା। ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିପାରିବେ ବୋଲି କାହାର ବିଶ୍ୱାସ ମଧ୍ୟ ଇମ୍ରାନଙ୍କ ଉପରେ ରହୁନାହିଁ । ପୂର୍ବରୁ ପାକିସ୍ତାନରେ ସେନା ମୁଖ୍ୟ ରାଜନୀତିରେ ମୁଣ୍ଡ ପୂରାଇବା ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଦେଶର ଅର୍ଥନୀତି ପ୍ରସଙ୍ଗରେ ସେନା ମୁଖ୍ୟ ବୈଠକ କରିବା ଇମ୍ରାନଙ୍କ ବିଫଳତାକୁ ଇଙ୍ଗିତ କରିଛି।

By amfnews

Related Post