Tue. Mar 18th, 2025
158 Views

ବରଗଡ଼: ଇଭିଏମ୍‌ରେ ସିଲ୍ ହେଲା ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ। ଅପରାହ୍ନ ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଛି। ସାଧାରଣ ନିର୍ବାଚନର ୬ ମାସ ପରେ ଏଠାରେ ଉପନିର୍ବାଚନ ହୋଇଥିଲେ ମଧ୍ୟ ଭୋଟ୍‌ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ କିନ୍ତୁ କମିନାହିଁ।

ଆଜି ସକାଳେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ସାବ୍ୟସ୍ତ କରିବା ପାଇଁ କେନ୍ଦ୍ରରେ ଭୋଟଙ୍କ ଭିଡ଼ ଲାଗି ରହିଥିଲା। ହାତରେ ପରିଚୟପତ୍ର ଧରି ଲମ୍ବାଲାଇନ୍‌ରେ ମତଦାତା ଯୁବ, ମହିଳା ଓ ବରିଷ୍ଠ ନାଗରିକ ସମସ୍ତେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ୨ ବର୍ଷରେ ତୃତୀୟ ଥର ଭୋଟ୍‌ ହେଉଥିଲେ ମଧ୍ୟ ଭୋଟଙ୍କ ମଧ୍ୟରେ କିନ୍ତୁ କମିନଥିଲା ଉତ୍ସାହ। ବରପାଲି ବ୍ଲକ ଆଗଲପୁରରେ ୧୦୦ ବର୍ଷର ବୃଦ୍ଧା ଲୋଚନ ନାୟକ ହ୍ୱିଲ ଚ୍ୟାୟରରେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଅନ୍ୟପକ୍ଷରେ ମଡେଲ୍ ବୁଥ୍‌ ଗୁଡ଼ିକରେ ଭୋଟରମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ଯାଏଁ ଚାଲିଥିଲା। ଗାଇସିଲେଟ୍ ବ୍ଳକର ନକ୍ସଲ ଅଞ୍ଚଳରେ ଥିବା ୬ଟି ବୁଥ୍‌ରେ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।

ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲି ଏନ୍‌ଏସିର ୨୧ ନମ୍ବର ବୁଥ୍‌ରେ ଭୋଟ୍ ଦେଇଥିଲେ। କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ବିଜେପୁରର ମାନପୁର ବୁଥ୍ ଓ ବିଜେପି ପ୍ରାର୍ଥୀ ସନତ ଗଡତିଆ ବିଜେପୁର ଏନ୍ଏସିର ୧୦୫ ନମ୍ବର ବୁଥ୍‌ରେ ମତଦାନ ସାବ୍ୟସାବ୍ୟସ୍ତ କରିଥିଲେ।

ଏଣେ ଉପନିର୍ବାଚନ ଭିତରେ ରାଜନୀତି ବେଶ୍ ସରଗରମ ରହିଛି। କଂଗ୍ରେସ୍ ବିଧାୟକ ତାରା ବାହିନୀପତି କହିଛନ୍ତି, ଉପନିର୍ବାଚନ ପାଇଁ ପିସିସି ସଭାପତି ମାତ୍ର ୨୦ ଲକ୍ଷ ଟଙ୍କା ଦେଇଥିଲେ। ଏହା ତୁଳନାରେ ବିଜେପି ଓ ବିଜେଡି ଢେର୍ ଅଧିକା ଅର୍ଥ ଖର୍ଚ୍ଚ କରିଥିବାରୁ କଂଗ୍ରେସର ସ୍ଥିତି ଭଲ ନାହିଁ ବୋଲି ତାରା ସ୍ୱୀକାର କରିଥିଲେ। ବିଜେଡି ନିଜର ଜିତାପଟ୍ ନେଇ ଦମ୍ଭୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି କହିଛି, ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଧୋକ୍କା ଦେଇଥିବାରୁ ଲୋକେ ତାର ଜବାବ ଦେବେ।

ଭୋଟ୍‌ ଗ୍ରହଣ ବେଳେ ଗାଇସିଲେଟ୍ ବ୍ଲକରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଥିଲା। ୨୩୯ ନମ୍ବର ବୁଥ୍, ବ୍ରାମହନ୍ ମାଲ୍‌ରେ ଲୋକେ ଏକ ଗାଡ଼ିକୁ ଅଟକାଇବାରୁ ସେଥିରେ ଥିବା ୩ ଜଣ ଯୁବକ ଗାଡ଼ି ଛାଡ଼ି ପଳାଇ ଯାଇଥିଲେ। ପରେ ଗାଡ଼ିରୁ ୧୨ ହଜାର ଟଙ୍କା ବାହାରିଥିଲା।

ପ୍ରାର୍ଥୀମାନଙ୍କ ଭାଗ୍ୟ ଏବେ ଇଭିଏମ୍‌ ସିଲ୍ ହୋଇଥିବା ବେଳେ ୨୪ ତାରିଖରେ ଭୋଟ୍ ଗଣତି ହେବ।

 

By amfnews

Related Post