Wed. Mar 11th, 2026

ଇଣ୍ଡିକ୍ୟାସ୍ ଏଟିଏମ୍ ତାଡ଼ିନେବା ଘଟଣା : ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀ ଗିରଫ

218 Views

ଖୋର୍ଧା ୧୮/୧୧ : ଗତ ୧୧ତାରିଖ ବିଳମ୍ବିତ ରାତିରେ ଖୋର୍ଧା ଥାନା ଅନ୍ତର୍ଗତ ତୁଳସୀପୁର ବଜାର ସ୍ଥିତ ଇଣ୍ଡିକ୍ୟାସ୍ ଏଟିଏମକୁ ତାଡ଼ିନେବା ଘଟଣାର ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗ୍ରାମର ଶିବୁ ଓରଫ ଶିବପ୍ରସାଦ ଦାସ(୨୪) ଏବଂ ତାର ସହଯୋଗୀ ଗଣିଆ ଥାନା ଅନ୍ତର୍ଗତ କନ୍ଧମେରୀ ଗ୍ରାମର ବାପୁଜୀ ଓରଫ ସୁଶାନ୍ତ ପରିଡ଼ା(୨୫)କୁ ଆଜି ପୁଲିସ ଧରିଛି। ଏଥି ସହିତ ସେମାନଙ୍କଠାରୁ ୬୦ହଜାର ଟଙ୍କା ସମେତ ଲୁଟରେ ବ୍ୟବହୃତ ବୋଲେରୋ ପିକ୍ ଅପ୍ ଭ୍ୟାନ୍(ଓଡ଼ି-୩୩ଏନ-୧୮୧୬ ), ଗ୍ୟାସ କଟର, ସିଲିଣ୍ଡର, ୱେଲଡିଂ ମେସିନ୍, ହାମର, ଏଟିଏମ କାର୍ଡ, ୨ଟି ମୋବାଇଲ ଫୋନ୍ ଏବଂ ଏଟିଏମ୍ ମେସିନର ଦୁଇଖଣ୍ଡ ଭଗ୍ନାଶ ଜବତ ହୋଇଛି। ଆଜି ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଦୀପ୍ତିରଞ୍ଜନ ରାୟ ସୂଚନା ଦେଇଛନ୍ତି।

ଶ୍ରୀ ରାୟଙ୍କ ସୂଚନାମୁତାବକ, ଖୋର୍ଧା ଥାନା ଅନ୍ତର୍ଗତ ତୁଳସୀପୁର ଠାରେ ବ୍ରହ୍ମାନନ୍ଦ ବେହେରାଙ୍କ ଘରେ କିଛି ବର୍ଷ ହେଲା ସ୍ଥାପିତ ଟାଟା ଇଣ୍ଡିକ୍ୟାସ ଏଟିଏମ କାଉଣ୍ଟରରେ ଗତ ୧୧ ତାରିଖରେ ବ୍ୟାଙ୍କ ପକ୍ଷରୁ ୧ଲକ୍ଷ ୮୨ ହଜାର ଟଙ୍କା ରଖାଯାଇଥିଲା। ତେବେ ମଧ୍ୟ ରାତ୍ରିରେ ଅଭିଯୁକ୍ତମାନେ ଏଟିଏମଟିକୁ ତାଡ଼ି ନେଇଥିଲେ। ଲୁଟର ମାଷ୍ଟରମାଇଣ୍ଡ ଶିବ ଆଇଟିଆଇ ପାସ କରି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହେ। ତୁଳସୀପୁର ନିକଟରେ ତାର ମାମୁଘର ହୋଇଥିବା ବେଳେ ସେ କିଛିଦିନ ତଳେ ବାଙ୍କି ମହୋତ୍ସବ ଦେଖିବାକୁ ଯାଇଥିଲା । ସେଠାରୁ ଫେରିବା ପରେ ଏଟିଏମ ଲୁଟର ଯୋଜନା କରିଥିଲା। କୌଣସି ସୂତ୍ରରୁ ଖବର ପାଇ ଗତକାଲି ଏସପି ଶ୍ରୀ ରାୟଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଯୁଗଳ କିଶୋର ଦାସ, ଟାଉନ ଥାନାଧିକାରୀ ରଞ୍ଜିତ କୁମାର ସାହୁ ପ୍ରମୁଖ ଭୁବନେଶ୍ୱର ନୂଆପଲ୍ଲୀ ଅନ୍ତର୍ଗତ ଏ/ପିଆର ପ୍ଲଟ୍ ନଂ.୧୦୯ଘର ଉପରେ ଚଢ଼ଉ କରି ଶିବକୁ ପ୍ରଥେମ ଗିରଫ କରିଥିଲେ। ପରେ ସମସ୍ତ ଘଟଣା ଜଣାପଡ଼ିବା ସହ ଲୁଟହୋଇଥିବା ଏଟିଏମ ବକ୍ସଟି ସ୍ଥାନୀୟ ପାହାଳସ୍ଥିତ ପୁରୀ କେନାଲ ପାଣିରୁ ଉଦ୍ଧାର କରାଯାଇଥିଲା।

By amfnews

Related Post