Fri. Mar 6th, 2026

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ: ଦରକାର ପଡ଼ିବ ନାହିଁ ଖାତା ନମ୍ବର ଓ ପାସଓ୍ଵାର୍ଡ, QR କୋଡରେ କରି ପାରିବେ ନେଣଦେଣ

390 Views

ନୂଆଦିଲ୍ଲୀ, ସେପ୍ଟେମ୍ବର୦୧:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ(ଆଇପିପିବି)ର ଶୁଭାରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ଘର ଘର ପର୍ୟ୍ୟନ୍ତ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା। ପେମେଣ୍ଟ୍ସ ବ୍ୟାଙ୍କ ବର୍ତ୍ତମାନ ୬୫୦ ଡାକଘର ଓ ୩,୨୫୦ ସେବା କେନ୍ଦ୍ରରେ ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟ ସେବା ଉପଲବ୍ଧ କରାଇବ।

ସଞ୍ଚାର ମନ୍ତ୍ରଣାଳୟ ମୁତାବକ ଚଳିତ ବର୍ଷ ଶେଷ ସୁଦ୍ଧା ଆଇପିପିବି ୧.୫୫ ଲକ୍ଷ ଡାକ ଘରକୁ ଏଥିରେ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି। ଏଥିରୁ ୧.୩୦ ଲକ୍ଷ ଶାଖା ଗ୍ରାମାଞ୍ଚଳ ଇଲାକାରେ ରହିଛି। ଡାକ ପିଅନ ସ୍ମାର୍ଟଫୋନ ଓ ଏକ ଡିଜିଟାଲ ଡିଭାଇସ ଜରିଆରେ ପ୍ରତ୍ୟେକ ବ୍ୟାଙ୍କିଙ୍ଗ ସୁବିଧା ଲୋକଙ୍କ ଘର ପର୍ୟ୍ୟନ୍ତ ପହଞ୍ଚାଇବ।

ସଞ୍ଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କ ମୁତାବକ ଲୋକେ ଏହି ବ୍ୟାଙ୍କରେ ନିଜର ଖାତା ଆଧାରକାର୍ଡ ସାହାଯ୍ୟରେ ମାତ୍ର ଏକ ମିନିଟରେ ଖୋଲି ପାରିବେ ଏବଂ କୁଇକ୍ ରେସପନ୍ସ କୋଡ(କ୍ୟୁଆର) ସାହାଯ୍ୟରେ ନେଣଦେଣ କରି ପାରିବେ। ଏହା ସବୁ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଉପଲବ୍ଧ କରାଯିବ।  ଏଥିରେ ଲୋକଙ୍କୁ ନିଜର ଖାତା ନମ୍ବର ଓ  ପାସଓ୍ଵାର୍ଡକୁ ମନେ ରଖିବା ଆବଶ୍ୟକ ପଡ଼ିବ ନାହିଁ।

ମନ୍ତ୍ରୀ କହିଛନ୍ତି ଯେ ପୋଷ୍ଟ ଅଫିସ୍ ସେଭିଙ୍ଗ୍ସ ବ୍ୟାଙ୍କ ଖାତା ଧାରୀଙ୍କୁ ମଧ୍ୟ ଆଇପିପିବିର ସେବା ସେମାନଙ୍କର ଖାତାକୁ ଲିଙ୍କ କରି ଦିଆଯିବ। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ଵାରା ପେମେଣ୍ଟ୍ସ  ବ୍ୟାଙ୍କକୁ ଋଣ ଓ ବୀମା ସେବା ଆରମ୍ଭ କରିବାର ଅନୁମତି ଦିଆଯାଇ ନାହିଁ। ତେଣୁ ଆଇପିପିବି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ନିଜର ଖାତାଧାରୀଙ୍କୁକ ଋଣ ଦେବା ପାଇଁ ବୁଝାମଣା କରିଛି।

ପ୍ରଧାନମନ୍ତ୍ରୀ ଆଇପିପିବିର ଉଦଘାଟନ କରି କହିଛନ୍ତି ଯେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆର୍ଥିକ ସମାବେଶ ପ୍ରକ୍ରିୟାକୁ ଆଗକୁ ବଢାଇବ ଯାହା ୨୦୧୪ରେ ଜନ ଧନ ଯୋଜନାକୁ ଲଞ୍ଚ କରିବା ସମୟରେ ଆରମ୍ଭ କରାଯାଇଥିଲା।

By amfnews

Related Post