ଚମ୍ପା ଜନ୍ମରୁ ସୁସ୍ଥ ଥିଲେ। ସବୁ ଠିକ୍ଠାକ୍ ଥିଲା। ସାଙ୍ଗସାଥୀଙ୍କ ସହ ଖେଳକୁଦ ଓ ପାଠପଢ଼ା ମଧ୍ୟରେ ସ୍ୱାଭାବିକ ଥିଲା ତାଙ୍କ ଜୀବନ। ହେଲେ ଦଇବ ସାଧିଲା ଦାଉ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ହଠାତ୍ ତାଙ୍କ ହାତ ଓ ଗୋଡ଼ ଝିମା ମାରିଥିଲା। ଏହାପରଠାରୁ ସେ ଶଯ୍ୟାଶାୟୀ ହୋଇଗଲେ।
ପରିବାର ଲୋକେ ଝିଅର ଏ ଅବସ୍ଥା ଦେଖି ମୁଣ୍ଡରେ ହାତ ଦେଲେ। ଯାହା କିଛି ଜମିବାଡ଼ି ଥିଲା ବିକି ତାଙ୍କ ଚିକିତ୍ସା କରାଇଲେ। ଡାକ୍ତରୀ ଚିକିତ୍ସାରେ ଝିଅ ଭଲ ନ ହେବାରୁ ଦେଶୀ ଚିକିତ୍ସା ମଧ୍ୟ କରାଇଲେ। ହେଲେ ସେଥିରୁ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ଚମ୍ପା ଶୋଇବା, ଖାଇବା, ଗାଧୋଇବା ଓ ଶୌଚ ହେବା ଭଳି ସବୁ କାମ ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ୧୩ ବର୍ଷ ହେବ ଅଜଣା ରୋଗର କଷ୍ଟ ସହି ଆସିଥିବା ଚମ୍ପାଙ୍କ ଲାଗି ଏବେ ଏହା ଅସହ୍ୟ ହେବାରେ ଲାଗିଛି। ସେଥିପାଇଁ ସେ ଇଚ୍ଛାମୃତ୍ୟୁ ଲୋଡି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଇଚ୍ଛାମୃତ୍ୟୁ ଲାଗି ଅନୁମତି ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।
ଚମ୍ପାଙ୍କ ବାପା ନରସିଙ୍ଗ କାଳକୁରା କହିଛନ୍ତି, “ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ରୋଗ ବାହାରିଲା। ଆମ ସାହି ପଡ଼ିଶା କହିଲେ ଗଣ୍ଠିବାତ ହୋଇଛି। ତେଣୁ ଆମେ ଦେଶୀ ଚିକିତ୍ସା କଲୁ। ଡାକ୍ତରଖାନା ବି ନେଇଥିଲୁ। ହେଲେ କିଛି ଲାଭ ହେଲା ନାହିଁ।”