Thu. Dec 26th, 2024

ଆହ୍ଲାବାଦ ଛାତ୍ର ସଂସଦ ନିର୍ବାଚନରେ ପ୍ରଥମ ଥର ‘ନୋଟା’ର ବ୍ୟବହାର

By amfnews Oct 5, 2018 #Featured
128 Views

ଆହ୍ଲାବାଦ, ଅକ୍ଟୋବର ୦୫: ଭାରତର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କୁହାଯାଉଥିବା ‘ଆହ୍ଲାବାଦ ବିଶ୍ୱବିଦ୍ୟାଳୟ’ରେ ଶୁକ୍ରବାର ଛାତ୍ର ସଂସଦ ନିର୍ବାଚନ ପାଇଁ ମଦଦାନ ଜାରି ରହିଛି । ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହିତ ଜଡିତ କଲେଜ ଗୁଡ଼ିକରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେଉଛି । ନିର୍ବାଚନରେ ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ସମାଜବାଦୀ ପାର୍ଟିର ଛାତ୍ର ସଂଗଠନ ସମାଜବାଦୀ ଛାତ୍ର ସଭା ମଧ୍ୟରେ କଡା ମୁକାବିଲା ହେଉଥିବା ବେଳେ ପ୍ରଥମ ପାଇଁ ମତଦାନରେ ‘ନୋଟା’କୁ ସାମିଲ କରାଯାଇଛି ।

ନାମାଙ୍କନ ଓ ମୁଁ କାହିଁକି ନିର୍ବାଚନରେ ଛିଡା ହୋଇଛି ଦକ୍ଷତା ଭାଷଣ ସମୟରେ ବୋମାମାଡ-ଗୁଳିକାଣ୍ଡ ଓ ଦଳଚକଟା ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ ଓ ଗଣତି ସମୟରେ ହିଂସାତ୍ମକ ପନ୍ଥାକୁ ଦୃଷ୍ଟିରେ ରଖି ୮ଜଣ ଅତିରିକ୍ତ ଏସପି ଓ ୧୮ ଜଣ ଡେପୁଟି ଏସପି ସମେତ ଏକ ହଜାରରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଏହା ସହିତ ୨ ପ୍ଲାଟୁନ ପିଏସି ଓ ଗୋଟିଏ ପ୍ଲାଟୁନ ଆରଏଏଫ ମୁତୟନ କରାଯାଇଛି ।

ପୂର୍ବାହ୍ନ ୯ଟାରେ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ । ଛାତ୍ରଛାତ୍ରୀମାନେ ନୋଟାକୁ ମଧ୍ୟ ବିକଳ୍ପ ଭାବରେ ଚୟନ କରିପାରିବେ । ମତଦାନ ପରେ ସନ୍ଧ୍ୟା ୭ଟାରେ ଭୋଟ ଗଣତି ହୋଇ ରାତି ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଘୋଷଣା ହୋଇଛି ।

By amfnews

Related Post