Sun. Mar 8th, 2026

ଆହୁରି ଫୁଲିବ କାଠଯୋଡି, ମହାନଦୀ

162 Views

କଟକ : ହୀରାକୁଦ ଡ୍ୟାମ୍‌ରୁ ଅଦ୍ୟାବଧୀ ୨୦ଟି ଗେଟ୍‌ ଖୋଲା ସରିଛି। ହୀରାକୁଦରୁ ଛଡ଼ାଯାଇଥିବା ବନ୍ୟା ଜଳ ଖୁବ୍‌ ଶୀଘ୍ର ମୁଣ୍ଡଳିରେ ପହଞ୍ଚିବ । ଫଳରେ କଟକକୁ ଘେରି ରହିଥିବା ଦୁଇ ନଦୀ କାଠଯୋଡି ଏବଂ ମହାନଦୀର ଜଳସ୍ତର ଆହୁରି ବଢିବ।  ଶନିବାର ରାତି ସୁଦ୍ଧା ଏହି ବନ୍ୟା ଜଳ କାଠଯୋଡି ଏବଂ ମହାନଦୀରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ତେଣୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ଗତ ୨ ଦିନ ହେବ ସେମାନଙ୍କୁ ସେଲଟର ହୋମକୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳିରେ ୬ଲକ୍ଷ ୭୪ହଜାର ୬୨୪ କ୍ୟୁସେକ୍‌ ଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ସେହିପରି ନରାଜରେ ୨ଲକ୍ଷ ୮୩ହଜାର ୧୯୬ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି  । ସେପଟେ ଜିଲ୍ଲା ପ୍ରଶାସନ ନଦୀ ଜଳସ୍ତର ଉପରେ ନଜର ରଖିଥିବା କହିଛନ୍ତି ଜିଲାପାଳ।

ଅପରପଟେ ସିଏମସି କମିଶନର କହିଛନ୍ତି, ନଦୀକୂଳରୁ ହଟାଯାଇଥିବା ଲୋକଙ୍କୁ ଏବେଠାରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି  । ତେବେ କଟକରେ ଏହି ବନ୍ୟାଜଳ ବିଶେଷ କିଛି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ପ୍ରଶାସନ ଆକଳନ କରିଛି । ସିଏମସି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ଥିବା କମିଶନର କହିଛନ୍ତି ।

By amfnews

Related Post