Wed. Jan 15th, 2025

ଆସ୍ଥା ଓ ଜନପ୍ରିୟତାର ଅନ୍ତିମ ପରୀକ୍ଷା

By amfnews Apr 21, 2019 #Featured
292 Views

ପ୍ରଶାନ୍ତ ପଟ୍ଟନାୟକ

ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ମୁଖ୍ୟତଃ ସର୍ବଭାରତୀୟ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି, କଂଗ୍ରେସ ଏବଂ ପ୍ରାନ୍ତୀୟ ଦଳ ବିଜୁ ଜନତା ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ବିଜୟ ହାସଲ କରି ସରକାର ଗଠନ କରିବା ପାଇଁ ଏହି ତିନି ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବା ସ୍ୱାଭାବିକ । କଂଗ୍ରେସ ଓ ବିଜେପି ଦଳର କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜୁ ଜନତା ଦଳର ସର୍ବମୟ କର୍ତ୍ତା ନବୀନ ପଟ୍ଟନାୟକ ଏକାକି ବିରୋଧି ଦଳର ସମସ୍ତ ରଥୀ ଓ ମହାରଥିଙ୍କୁ ମୁକାବିଲା କରିବା ପାଇଁ ବାଧ୍ୟ ହେଉଛନ୍ତି ।

ନିର୍ବାଚନ ତାରିଖ ଘୋଷଣା ହେବାର ବହୁପୂର୍ବରୁ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଶ୍ରୀ ଅମିତ ଶାହା ବିଧାନସଭା ନିର୍ବାଚନରେ ଓଡ଼ିଶାରେ ୧୪୭ଆସନ ମଧ୍ୟରୁ ୧୨୦ରୁ ଅଧିକ ଆସନରେ ତାଙ୍କ ଦଳ ବିଜୟ ହାସଲ କରି ସରକାର ଗଠନ କରିବେ ବୋଲି ଘୋଷଣା କରିସାରିଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ କଳେବଳେ କୌଶଳେ ଉଦ୍ୟମ ଅବ୍ୟାହତ ରଖିଛନ୍ତି । ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟାନ୍ୟ ବହୁମନ୍ତ୍ରୀଙ୍କ ବ୍ୟତୀତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ବହୁ ସଦସ୍ୟ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର ଚାଲୁ ରଖିଛନ୍ତି ।

ବିଜେଡ଼ି ଦଳରୁ ବହିଷ୍କୃତ ହୋଇ ବିଜେପିରେ ଯୋଗ ଦେଇଥିବା ନବୀନ ବିରୋଧି ପ୍ରାର୍ଥୀମାନଙ୍କର ବିଜୟ ନିମନ୍ତେ ଶ୍ରୀ ମୋଦି ଓ ଶ୍ରୀ ଶାହା ଏକାଧିକ ବାର ଓଡ଼ିଶା ଗସ୍ତରେ ଆସିଛନ୍ତି । ନିକଟ ଭବିଷ୍ୟତରେ ଏହି ଉଭୟ ନେତା ପୁନଶ୍ଚ ଓଡ଼ିଶା ଗ୍ରସ୍ତରେ ଆସି କେନ୍ଦ୍ରାପଡ଼ା, କଟକ ପ୍ରଭୃତି ସମ୍ଭେଦନଶୀଳ ନିର୍ବାଚନ ମଣ୍ଡଳୀ ଗୁଡ଼ିକୁ ପ୍ରଚାର ପାଇଁ ଆସିବାର କାର୍ଯ୍ୟକ୍ରମ ରହିଛି । କେବଳ ଏତିକି ନୁହେଁ ରାଜ୍ୟର ସଂଖ୍ୟାଲଘୁ ଭୋଟଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ଭି କେନ୍ଦ୍ରାପଡ଼ା, ସାଲେପୁର, ଭଦ୍ରକ ପ୍ରଭୃତିରେ ଅଧିକ ସଂଖ୍ୟକ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ବାସ କରୁଥିବାରୁ ସେମାନଙ୍କୁ ପ୍ରଭାବିତ କରିବାପାଇଁ ଶ୍ରୀ ନକ୍ଭିଙ୍କ ସାହାଯ୍ୟ ନିଆଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଚଳିତ ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ଗୁରୁ୍ତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀକୁ ସାତଥର ଗ୍ରସ୍ତ କରିବା ସମୟରେ ସେହି ନିର୍ବାଚନ ମଣ୍ଡଳି ଗୁଡ଼ିକରେ ବସ୍ତୁତଃ ନବୀନଙ୍କ ବିରୁଧରେ ଶ୍ରୀ ମୋଦି ଶ୍ରୀ ଶାହା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର ଲୋକପ୍ରିୟତା ତଥା ପ୍ରଭାବର ପରୀକ୍ଷାରେ କିଏ ଅଧିକ ଜନସମର୍ଥନ ଲାଭ କରି ଉତ୍ତୀର୍ଣ୍ଣ ହେବ ତାହା ହିଁ ଦେଖିବା କଥା । ଏକପକ୍ଷରେ ଶ୍ରୀ ମୋଦି, ଶ୍ରୀ ଶାହା, ଶ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ରମନ୍ତ୍ରୀ ମଣ୍ଡଳୀର ବହୁ ବରିଷ୍ଠ ଓ ପ୍ରଭାବଶାଳୀ ସଦସ୍ୟ ଏବଂ ଅପରପକ୍ଷେ ଏକମାତ୍ର ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଥା ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରିବ ।

ନିର୍ବାଚନ ପ୍ରଚାର ସମୟରେ ବିଜେପି ଦଳର ତୁଙ୍ଗ ନେତାମାନେ ଏପରିକି ଏକଦା ତାଙ୍କର ଘନିଷ୍ଠ ଥିବା ଶ୍ରୀ ବୈଜୟନ୍ତ ପଣ୍ଡା ନବୀନଙ୍କ ପ୍ରତି ‘ରାକ୍ଷସ’ ଭଳି ଅତ୍ୟନ୍ତ କଠୋର ଶବ୍ଦ ପ୍ରୟୋଗ କରୁଥିବା ସମୟରେ ନବୀନ ଥରକ ପାଇଁ ହେଲେ ବିଜେପି ଦଳର ନେତାମାନଙ୍କ ବିରୁଦ୍ଧରେ କୌଣସି କଠୋର ଶବ୍ଦ ପ୍ରୟୋଗ କରିନାହାନ୍ତି । ଏଭଳି ପରିସ୍ଥିତିରେ ଗୋଟିଏ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାୟୀତ୍ୱ ଏବଂ ଅପରପକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପ୍ରତି ଓଡ଼ିଶା ବାସୀଙ୍କ ଆସ୍ଥା ଓ ବିଶ୍ୱାସର ଯେ ଅନ୍ତିମ ପରୀକ୍ଷା ହେବ ଏଥିରେ ସନ୍ଦେହ ନାହିଁ ।

By amfnews

Related Post