Mon. Feb 24th, 2025

ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ବର୍ଷା ଆଶଙ୍କା

By amfnews Nov 26, 2020 #Featured
157 Views

ଭୁବନେଶ୍ୱର, ନଭେମ୍ବର ୨୬ : ନଭେମ୍ବର ୨୯ ବେଳକୁ କେନ୍ଦ୍ରୀୟ ବ‌ଙ୍ଗୋପସାଗରର ଦକ୍ଷିଣ ଭାଗରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ଲଘୁଚାପର ପ୍ରଭାବ କିଭଳି ରହିବ ସେ ନେଇ ବର୍ତ୍ତମାନସୁଦ୍ଧା କିଛି ଆକଳନ କରାଯାଇ ନାହିଁ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିଭାର’ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଗୁରୁବାର ଭୋର ସମୟରେ ଏହା ପୁଡୁଚେରୀର କରାଇକେଲ୍‌ ଓ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁଛି । ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ଜାରି ରହିଛି।

ଅନ୍ୟପକ୍ଷରେ ଓଡ଼ିଶାରେ ଶୀତ ଲହରି ଜାରି ରହିଛି। ଆଜି ରାଜ୍ୟର ୧୩ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା। ଦାରିଙ୍ଗିବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସୋନପୁର ୯.୪, ଫୁଲବାଣୀ ୧୦.୫ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ନିର୍ଦେଶକ ଶ୍ରୀ ବିଶ୍ବାସଙ୍କ ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ତେବେ ୨୮ ତାରିଖଠାରୁ ପାରଦ ପୁଣି ହ୍ରାସ ପାଇବ। କେ‌ତେକ ସ୍ଥାନରେ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ବଲାଙ୍ଗୀର, ସୋନପୁର ଓ କନ୍ଧମାଳ ଜିଲ୍ଲାରେ ହାଲୁକା କୁହୁଡ଼ି ପଡ଼ିବ। ‌ତେଣୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

By amfnews

Related Post