Sun. Mar 8th, 2026

ଆସିକାରେ ପୁଣି ଚାଞ୍ଚଲ୍ୟ : ପାହାଡ଼ ମୁଣ୍ଡିଆରେ ପଥର ଛେଚି ଯୁବକଙ୍କୁ ହତ୍ୟା

432 Views

ଆସିକା, ଜାନୁଆରୀ ୨୦ : ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ମାଗୁରା ପାହାଡ଼ ନିକଟରୁ ଆଜି ସକାଳୁ ଭେଙ୍କଟରାଇପଲ୍ଲୀ ଗ୍ରାମର ରବିନ୍ଦ୍ର ନାହାକ (୨୨) ନାମକ ଜଣେ ଯୁବକର କ୍ଷତାକ୍ତ ଶବ ମିଳିଛି। ପଥରରେ ଛେଚି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ବାଇକଟିକୁ ତାଙ୍କ ଶବ ଉପରେ ପକାଇ ଦିଆଯାଇଛି। ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ଏଥିରେ ଏକାଧିକ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ପୁଲିସ ଅନୁମାନ କରି କେସ ନମ୍ବର ୨୪ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରିଛି। ୨ଜଣଙ୍କୁ ଅଟକ ରଖି ଜେରା ଚାଲିଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି।

ରବିନ୍ଦ୍ର ଗତକାଲି ସନ୍ଧ୍ୟାରେ ଘରୁ ବାଇକରେ (ଓଡି୦୭-ଡବ୍ଲୁ-୭୬୦୫)ରେ ବାହାରି ଥିଲେ। ହେଲେ ଆଉ ରାତିରେ ଫେରି ନଥିଲେ। କେଉଁ ସାଙ୍ଗ ପାଖରେ ରହି ଯାଇଥିବା ଭାବି ପରିବାର ଲୋକେ ରବିନ୍ଦ୍ରଙ୍କୁ ଆଉ ଖୋଜାଖୋଜି କରି ନଥିଲେ। ଆଜି ସକାଳୁ ମାଗୁରା ପାହାଡ଼ ମୁଣ୍ଡିଆରେ ହଠାତ୍ ରବିନ୍ଦ୍ରଙ୍କ ଶବ ମିଳିଥିଲା। ପଥରରେ ମୁଣ୍ଡକୁ ଛେଚି ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବାପା ରମେଶ ନାହାକ ଏତଲା ଦେଇ ଥିଲେ। ଏହି ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

By amfnews

Related Post