Sun. Mar 8th, 2026

ଆସାମର ପରିଚୟ ପ୍ରତି ବିପଦ ନାହିଁ: ମୁଖ୍ୟମନ୍ତ୍ରୀ ସୋନୋଓ୍ଵାଲ୍‌

159 Views

ଗୌହାଟି: ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ଶୁକ୍ରବାର ଦିନ ରାଜ୍ୟବାସୀଙ୍କୁ ଭରସା ଦେଇ କହିଛନ୍ତି ଯେ ନାଗରିକତା ଆଇନ ପ୍ରଚଳନ ହେଲେ ମଧ୍ୟ ସେମାନଙ୍କର ପରିଚୟ ଓ ଭାଷା ପ୍ରତି ବିପଦ ନାହିଁ ଏବଂ ସେମାନଙ୍କର ଅଧିକାର ମଧ୍ୟ ଅକ୍ଷୁଣ୍ଣ ରହିବ। ନାଗରିକତା ସଂଶୋଧନ ଆଇନ ବିରୋଧରେ କରାଯାଇଥିବା ପ୍ରତିବାଦ ସମୟରେ ଆସାମରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୋନୋଓ୍ଵାଲ୍‌ କହିଛନ୍ତି: ମୁଁ ଭରସା ଦେଇ କହୁଛି ଆସାମ ମାଟିର ସନ୍ତାନମାନଙ୍କର ଅଧିକାରକୁ କେହି ଚୋରାଇ ନେଇ ପାରିବେ ନାହିଁ। ଆମ ଭାଷା କିଂବା ଆମ ପରିଚିତି ପ୍ରତି ମଧ୍ୟ କୌଣସି ବିପଦ ନାହିଁ।

ଆସାମର ସମ୍ମାନ ଆଦୌ ପ୍ରଭାବିତ ହେବ ନାହିଁ। ଆମ ପ୍ରତି ସର୍ବଦା ଜନସମର୍ଥନ ରହିଛି। ରାଜ୍ୟରେ ଶାନ୍ତି ବଜାୟ ରଖି ଆମେ ଆଗ୍ରସର ହେବା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଯେଉଁମାନେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରୁଛନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ।

ସମଗ୍ର ରାଜ୍ୟରେ ପୁଣି ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ଚାଲୁ ହେବାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଏ କଥା କହିଛନ୍ତି। ନାଗରିକତା ସଂଶୋଧନ ଆଇନ ବିପକ୍ଷରେ ପ୍ରବଳ ପ୍ରତିବାଦ ହେବାରୁ ପ୍ରାୟ ୧୦ ଦିନ ହେବ ଆସାମରେ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖାଯାଇଥିଲା।

By amfnews

Related Post