Fri. Mar 6th, 2026

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ରାୟଗଡା ଓ ଗଞ୍ଜାମରେ ରାସ୍ତା ଉପରେ ପାଣି

491 Views

ଭୁବନେଶ୍ୱର, ଜୁଲାଇ ୧୫: ୱେଲମାର୍କ ଲୋ ପ୍ରେସରର ରୂପ ନେଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି ।  ଏହି କାରଣରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷା ସହ ୫୦ ରୁ ୬୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ଅପରପକ୍ଷରେ ରାୟଗଡାରେ ଲଗାଣ ବର୍ଷା ଯୋଗୁଁ ବିଷମକଟକ ବ୍ଳକ କାଣିଯୋଡ଼ି ପୋଲ ଉପରେ ୪ ଫୁଟର ପାଣି ଲହଡି ମାରୁଥିବା ଦେଖାଦେଇଛି। ସେହିପରି ସହରର ପାଇକଟାକୁଲୁଗୁଡାରେ ରାସ୍ତା ହୋଇଯାଇଥିବା ସୂଚନା ମିଳିଛି। କନ୍ଦରପୁର ବ୍ଲକ ତୁରିଗୁଡ଼ା ପୋଲ ଭାଙ୍ଗି ଯିବାରୁ ତୁରିଗୁଡ଼ା-ପିସ୍‌କାପଙ୍ଗା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ପ୍ରବଳ ବର୍ଷା କାରଣରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନୂଆପଡା ଗୁରୁଜିଭଟାରେ ମଧ୍ୟ ଝଡବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ଜୋରରେ ପବନ ବୋହିବାରୁ ରାସ୍ତା ଓ ଘରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବା ସୂଚନା ମିଳିଛି।

ଗଞ୍ଜାମରେ ମଧ୍ୟ ଅନୁରୂପ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ କବିସୂର୍ୟ୍ୟନଗର ବନଦେବୀପାଟଣା ସାହି ମୁଖ୍ୟ ରାସ୍ତା ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଏହାସହ ଚମ୍ପେଇତପୁର ବାଘୁଆ ସେତୁ ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ଲହଡି ମାରୁଥିଲା ବେଳେବୁଢାମ୍ବ-ବ୍ରହ୍ମପୁର ମଧ୍ୟରେ ଗାଡି ଚଳାଚଳ ଠପ ହୋଇଯାଇଛି।

Related Post