Sat. Mar 7th, 2026

ଆସନ୍ତା କାଲି ସକାଳ ସୁଦ୍ଧା ରାଜ୍ୟର ଏହି ସମସ୍ତ ଜିଲ୍ଲାରେ ରହିଛି କାଳବୈଶାଖୀ ସମ୍ଭାବନା, ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

364 Views

ଭୁବନେଶ୍ୱର: ଆସନ୍ତା ବୁଧବାର ସକାଳ ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।

ସେହିପରି, ଆଜି (ମଙ୍ଗଳବାର) ରାତି ସୁଦ୍ଧା ରାଜ୍ୟର କେନ୍ଦୁଝର, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଥିବା ମଧ୍ୟ ଜାରି ସତର୍କ ସୂଚନାରେ କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର।

ସାଟେଲାଇଟ୍‌ ଚିତ୍ର ଓ ଡପ୍‌ଲର ରାଡାର ସୂଚନାକୁ ଆଧାର କରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏହି ସତର୍କ ସୂଚନାରେ କୁହାଯାଇଛି ଯେ ରାଜ୍ୟର ଏହି ସମସ୍ତ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଆରମ୍ଭ ହୋଇଯିବ। ଏଥିସହ ଏହି ସମୟ ମଧ୍ୟରେ ଏହି ସମସ୍ତ ସ୍ଥାନରେ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୩୦ର ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତର ଆଶଙ୍କା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବାକୁ ଜାରି ସତର୍କ ସୂଚନାରେ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଗତକାଲି (ସୋମବାର) ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୦ ଡିଗ୍ରି ସେଲସିୟସ ତାଳଚେର ଠାରେ ରେକର୍ଡ କରା ଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ସେଲସିୟସ ମାଲକାନଗିରି ଠାରେ ରେକର୍ଡ କରା ଯାଇଥିଲା।

By amfnews

Related Post