365 Views
ପୁରୀ, ଅକ୍ଟୋବର ୧ :ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ପୋଲିସର ନିର୍ମମ ବ୍ୟବହାର ଓ ବ୍ରହ୍ମ ବିଭ୍ରାଟ ଆଦି ପ୍ରସଙ୍ଗ ବିରୋଧରେ ସ୍ୱର ଉତ୍ତୋଳନ କରିଛି ଶ୍ରୀ ଜଗନ୍ନାଥ ସେନା । ଏଭଳି ୮ ଦଫା ଦାବିରେ ଆସନ୍ତା ୩ ତାରିଖ (ବୁଧବାର)ରେ ପୁରୀ ବନ୍ଦ ଡାକରା ଦେଇଛି ସେନା । କେବଳ ରେଳସେବା, ମେଡ଼ିକାଲ ଓ ଶ୍ରୀମନ୍ଦିର ସେବାକୁ ଛାଡ଼ି ଦେଲେ ଆଉ ସମସ୍ତ ସରକାରୀ ଅଫିସକୁ ବନ୍ଦ କରାଯିବ । ଏ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଭକ୍ତ-ବ୍ରାହ୍ମଣ-ସେବକ ମାରଣନୀତି, ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବା, ସିଦ୍ଧ ମହାବୀର ନିକଟ ରେଳ ଫାଟକରେ ଓଭର ବ୍ରିଜ୍ ନିର୍ମାଣ, ଲୋକ ମାନଙ୍କ ଉପରେ ପୋଲିସର ଅତ୍ୟାଚାର, ସ୍ୱର୍ଗଦ୍ୱାର ମୁକ୍ତି ଦାବି, ରତ୍ନ ଭଣ୍ଡାର ଖୋଲିବା ଓ ସମସ୍ତ ୫୨୨ଟି ରୂପା ଇଟା ଫେରାଇ ଆଣିବା ଦାବିରେ ସେନା ଆନ୍ଦୋଳନ କରିବ । ସେହିଦିନ ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ଅଫିସ୍, ବ୍ୟାଙ୍କ୍ ଓ କୋର୍ଟ କଚେରୀକୁ ବନ୍ଦ କରାଯିବ । ତେବେ ଆନ୍ଦୋଳନରୁ ରେଳ ଚଳାଚଳ, ମେଡ଼ିକାଲ ଓ ଶ୍ରୀମନ୍ଦିର ସେବାକୁ ବାଦ ଦିଆଯିବ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି ।