Sun. Mar 8th, 2026

ଆସନ୍ତାକାଲି ଭାରତ ବନ୍ଦ ପାଇଁ ସମସ୍ତ ପରୀକ୍ଷା ଘୁଞ୍ଚାଇଲା ଉତ୍କଳ ବିଶ୍ବବିଦ୍ୟାଳୟ

207 Views

ଭୁବନେଶ୍ବର: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ହେତୁ ଉତ୍କଳ ବିଶ୍ବବିଦ୍ୟାଳୟ ତାର ସମସ୍ତ ପରୀକ୍ଷା ଘୁଞ୍ଚାଇ ଦେଇଛି । ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଭାରତ ବନ୍ଦକୁ ଆଖିରେ ରଖି ଜାନୁଆରି ୮ରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ୍‌ ହୋଇଛି। ତେବେ, ବାତିଲ୍‌ ହୋଇଥିବା ପରୀକ୍ଷା ପୁଣି କେଉଁ ତାରିଖରେ ହେବ ସେ ସଂପର୍କରେ ପରେ ତାରିଖ ଘୋ‌ଷଣା କରାଯିବ।

ଏଆଇଟିୟୁସି ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର କହିଛନ୍ତି, ୮ ତାରିଖ ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି।

ଏନ୍‌ଡିଏ ସରକାରଙ୍କ ‘ଦମନକାରୀ ନୀତି’ ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ କରିଛନ୍ତି। ଶ୍ରମିକ ସଂଗଠନ ସିଟୁର ସାଧାରଣ ସଂପାଦକ ତପନ ସେନ କହିଛନ୍ତି ଯେ ଅସଂଗଠିତ, ବ୍ୟାଙ୍କିଙ୍ଗ୍‌ ଏବଂ ବୀମା କ୍ଷେତ୍ର କର୍ମଚାରୀ , ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବ। ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ।

ଆସନ୍ତା ୮ ତାରିଖ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଛନ୍ତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୩ ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ତେବେ ଏ ନେଇ ବିଜେଡି ପକ୍ଷରୁ ଆଧିକାରୀକ ଭାବେ ଘୋଷଣା କରାଯାଇନାହିଁ । ଅନ୍ୟପକ୍ଷରେ ଦେଶବ୍ୟାପି ଧର୍ମଘଟକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

By amfnews

Related Post