Sun. Mar 8th, 2026

ଆଲୋଚନା ପାଇଁ ମମତାଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଡାକ୍ତର

191 Views

କୋଲକାତା : ପଶ୍ଚିମବଙ୍ଗରେ ଆନ୍ଦୋଳନରତ କନିଷ୍ଠ ଡାକ୍ତରମାନେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଶନିବାର ସଚିବାଳୟରେ ଆଲୋଚନା ଲାଗି ମୁଖ୍ୟମନ୍ତ୍ରୀ ମମତା ଡାକ୍ତରମାନଙ୍କୁ ଆମନ୍ତ୍ରଣ କରିଥିଲେ। ସେମାନେ କୋଲକାତାର ଏନଆରଏସ୍‌ ମେଡିକାଲ୍‌ କଲେଜ ହସପିଟାଲ୍‌ରେ ଦୁଇ ଜଣ କନିଷ୍ଠ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ମମତା ନିସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଏହାଛଡ଼ା ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେମାନେ ଛଅଟି ସର୍ତ୍ତ ରଖିଛନ୍ତି।

ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାରେ ଡାକ୍ତରଙ୍କ ଆନ୍ଦୋଳନକୁ ଦେଶବ୍ୟାପୀ ଡାକ୍ତରମାନଙ୍କ ସମର୍ଥନ ପାଇବାରୁ ଏବେ ସରକାରୀ ଏବଂ ଘରୋଇ ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି।

ଏଥିପୂର୍ବରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କରି ଶୁକ୍ରବାର ରାତିରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆନ୍ଦୋଳନରତ ଡାକ୍ତରମାନେ ମନା କରିବାରୁ ଆଜି ପୁନର୍ବାର ଆଲୋଚନା ପାଇଁ ଡକାଯାଇଥିଲା। ମାତ୍ର ଡାକ୍ତରମାନେ ନିଜ ଜିଦରେ ଅଟଳ ରହିଛନ୍ତି।
କନିଷ୍ଠ ଡାକ୍ତରମାନଙ୍କ ଯୁଗ୍ମ ମଞ୍ଚର ଅନ୍ୟତମ ମୁଖପାତ୍ର ଡାକ୍ତର ଅରିନ୍ଦମ ଦତ୍ତ କହନ୍ତି, ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାରେ ଆମେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ନିଃସର୍ତ୍ତ କ୍ଷମା ଚାହୁଁଛୁ। ଏହା ବ୍ୟତିରେକେ, ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ କହିଛନ୍ତି ଯେ ଡାକ୍ତରମାନଙ୍କ ଧର୍ମଘଟ ସମ୍ବନ୍ଧରେ ଆଲୋଚନା କରିବାକୁ ସେ ବାନାର୍ଜୀଙ୍କ ପାଖକୁ ଫୋନ୍‌ କରିଥିଲେ ବି ତାଙ୍କ ଠାରୁ କୌଣସି ଉତ୍ତର ପାଇ ନାହାନ୍ତି।

By amfnews

Related Post