Sat. Mar 7th, 2026

ଆର୍ଏସ୍ସିଏଲ୍ ପ୍ରକଳ୍ପ ଓ ସ୍ୱେରେଜ ପ୍ରକଳ୍ପ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

267 Views

ରାଉରକେଲା, ୧୧/୭: ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ଓ ସ୍ୱେରେଜ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ଆର୍ଏମ୍ସି କାଉନସିଲ ହଲଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ଆଦିବାସୀ ବ୍ୟାପର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଆର୍ଏସ୍ସିଏଲ୍ ପ୍ରକଳ୍ପ ଓ ସ୍ୱେରେଜ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବୈଠକରେ ପ୍ରଥମେ ଆର୍ଏସ୍ସିଏଲ୍ ସିଇଓ ରଶ୍ମିତା ପଣ୍ଡା ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ । ଯେପରିକି ସୁରକ୍ଷିତ ରାଉରକେଲା ପ୍ରକଳ୍ପ ମାଧ୍ୟମରେ ୧୨୦୦ ଏଲ୍ଇଡି ଲାଇଟ୍ ଲଗାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୦୦୦ ଏଲ୍ଇଡି ଲାଇଟ୍ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି ।

ଅବଶିଷ୍ଟ ସଂଖ୍ୟକ ଲାଇଟ୍ ଚଳିତ ମାସ ଶେଷ ସୁଦ୍ଧା ଲଗାଯିବ । ସେହିପରି ଅନ୍ୟ ଏକ ପ୍ରମୁଖ ପ୍ରକଳ୍ପ ହେଲା ପିଙ୍କ୍ ଅଟୋ ପ୍ରକଳ୍ପ । ସହରର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ବିଶେଷ କରି ମହିଳାମାନଙ୍କ ସୁରକ୍ଷିତ ଗମନାଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ଏହି ଅନନ୍ୟ ଯୋଜନା ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ଅଧିନରେ ବର୍ତ୍ତମାନ ୨୧ ଜଣ ହିଳା ଗର୍ବର ସହ ଅଟୋରିକ୍ସା ଚଳାଇ ସୁଚାରୁରୂପେ ନିଜର ଜୀବନଯାପନ କରୁଛନ୍ତି । ଅନ୍ୟତମ ଜନକଲ୍ୟାଣକାରୀ ପ୍ରକଳ୍ପ ହେଲା ସ୍ୱେରେଜ୍ ପ୍ରକଳ୍ପ । ଏହି ପ୍ରକଳ୍ପ ଅଧିନରେ ୧୮୬ କିଲୋ ମିଟର ପାଇପ୍ ଲାଇନ୍ ବିଛା ଯିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୪ କିଲୋ ମିଟର ପାଇପ୍ ଲାଇନ୍ ବିଛା ସରିଛି ।

ସେହିପରି ବାଲୁଘାଟରେ ନିର୍ମାଣାଧିନ ସ୍ୱେରେଜ୍ ଟ୍ରେଟ୍ମେଣ୍ଟ ପ୍ଲାଣ୍ଟର ୭୦ ଭାଗ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ପ୍ରଧାନପଲି ପମ୍ପିଙ୍ଗ ଷ୍ଟେସନ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଯେଉଁଠି ସାଧାରଣ ଲୋକମାନଙ୍କ ଲାଗି ବ୍ୟାଡମିଣ୍ଟନ ସହ ବହୁମୁଖୀ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି । ସେହିପରି ବର୍ତ୍ତମାନ ସୁଦ୍ଧା ସବୁଜ ରାଉରକେଲା ପ୍ରକଳ୍ପ ଅଧିନରେ ୬ଟି ଜନୋପଯୋଗୀ ପାର୍କର ବିକାଶ ନିମନ୍ତେ ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ଠିକାଦାର ଚୟନ କାର୍ଯ୍ୟ ଶେଷ ହୋଇ କାମ ଆରମ୍ଭ ବୋଲି ଲକ୍ଷ୍ୟ ରଖାଯାଇଛି ।

ସେହିପରି ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଆମ୍ବେଦକର ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ସ୍ମାର୍ଟ ରୋଡ୍ ନିର୍ମାଣ, ବିର୍ସା ଷ୍ଟାଡିୟମ, ବିଶ୍ରା ଛକରେ ବହୁତଳ ବିଶିଷ୍ଟ ପାର୍କିଂ ସ୍ଥଳ ଏବଂ ସିସିଟିଭି, ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ସ୍ମାର୍ଟ ସଲ୍ୟୁସନ ଆଦି ପ୍ରକଳ୍ପର ଡିଟେଲ୍ଡ୍ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଉପରୋକ୍ତ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମତୀ ପଣ୍ଡା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ ବିଭିନ୍ନ ପ୍ରକଳ୍ପର ରୂପରେଖ ଚୂଡାନ୍ତ କରିବା ପୂର୍ବରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ମତାମତ ନିଆଯିବା ସହ ସେମାନଙ୍କ ପରାମର୍ଶ ତଥା ମତକୁ ଯଥାସମ୍ଭବ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ବେଳେ ଗୁରୁତ୍ୱ ଦିଆଯାଉଥିବା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ମନ୍ତ୍ରୀ ଶ୍ରୀ ଓରାମ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜାଣି ନିଜର ଖୁସି ବ୍ୟକ୍ତ କରିବା ସହ ଆହୁରି କ୍ଷୀପ୍ର ଗତିରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଯଥାଶୀଘ୍ର ସିଟି ଆପ୍ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ସିଟି ଆପ୍ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ପଣ୍ଡା ମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ, ଉପାୟୁକ୍ତ ସୀତାଦେବୀ ମାଝି, ସ୍ମାର୍ଟସିଟି ଲିମିଟେଡର ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ କୁମାର ପଟେଲ, ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପତିଙ୍କ ସମେତ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ ଓ ରାଉରକେଲା ମହାନଗର ନିଗମ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related Post