Tue. Dec 24th, 2024

ଆର୍ଏସ୍ପି ଦ୍ୱାରା ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର

rklsanchar@gmail.com' By J.N. Pradhan Aug 26, 2018 #Featured
246 Views

ରାଉରକେଲା, ୨୬/୮ : ଆର୍ଏସ୍ପିର ବିଭିନ୍ନ ବିଭାଗ ଓ କର୍ମଚାରୀଙ୍କୁ ସୃଜନୀ ପୁରସ୍କାର ପ୍ରଦାନ କରାଯାଇଛି । ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରଭାତ କୁମାର ପ୍ରଧାନ, ପ୍ରକଳ୍ପ ବିଭାଗ ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ, ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷ ମିନାକ୍ଷୀ ପ୍ରଧାନ ଏବଂ ରେଖା ଅଗ୍ରୱାଲଙ୍କ ସମେତ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ ।

୨୦୧୭-୧୮ ବର୍ଷ ନିମନ୍ତେ କୋକ ଓଭନ ବିଭାଗ ସୃଜନୀ ରୋଲିଂ ଟ୍ରଫି ଲାଭ କରିଥିଲା । କୋଲ ଓ କୋକ୍ ବିଭାଗ ଜିଏମ୍ ବିଶ୍ୱଜିତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଭାଗୀୟ ଦଳ ଏହି ଟ୍ରଫି ଗ୍ରହଣ କରିଥିଲେ । ଏହି ବର୍ଗରେ ଦ୍ୱିତୀୟ ଶ୍ରେଷ୍ଠ ବିଭାଗ ଭାବେ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗ ବିବେଚିତ ହୋଇଥିଲା । ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ୍ ଅତନୁ ଭୌମିକଙ୍କ ନେତୃତ୍ୱରେ ବିଭାଗୀୟ ଦଳ ଏହି ପୁରସ୍କାର ଗ୍ରହଣ କରିଥିଲେ । ସୃଜନୀ ପୁରସ୍କାର ଯୋଜନାର ତୃତୀୟ ଶ୍ରେଷ୍ଠ ବିଭା ଭାବେ ହଟ୍ଷ୍ଟ୍ରିପ୍ ମିଲ୍ ବିଭାଗ ବିବେଚିତ ହୋଇଥିଲା ।

ବିଭାଗ ଜିଏମ୍ ପି. ମୁରଲୀଙ୍କ ନେତୃତ୍ୱରେ ବିଭାଗୀୟ ଦଳ ପୁରସ୍କାର ଗ୍ରହଣ କରିଥିଲେ । ସୃଜନୀ ପୁରସ୍କାର ଯୋଜନା ଅନ୍ତର୍ଗତ ସର୍ବାଧିକ କାର୍ଯ୍ୟାନ୍ୱିତ ପ୍ରସ୍ତାବ ନିମନ୍ତେ ଶ୍ରେଷ୍ଠ ବାସ୍ତବିକ ଭାବେ କୋକ୍ ଓଭନ ବିଭାଗ ସିନିୟର ଅପରେଟିଭ୍ ରବୀନ୍ଦ୍ର କୁମାର ବିଶୋୟୀ ପୁରସ୍କାର ଲାଭ କରିଥିଲେ । ତାଙ୍କୁ ୧୨୫୪୦ ଟଙ୍କାର ପୁରସ୍କାର ରାଶି ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । ଏହି ଯୋଜନାରେ ୬ ଜଣ କର୍ମଚାରୀ ଦ୍ୱିତୀୟ ପୁରସ୍କାର ଲାଭ କରିଛନ୍ତି । ସେମାନଙ୍କୁ ୫୪୫୦ ଟଙ୍କାର ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ପୁରସ୍କାର ବିଜେତାମାନେ ହେଲେ ହଟ୍ଷ୍ଟ୍ରିପ୍ ମିଲ୍ ବିଭାଗର ସିନିୟର ଟେକ୍ନିସିଆନ ଦେବାଶିଷ ଦାସ, କୋକ ଓଭନ ବିଭାଗର ସିନିୟର ଟେକ୍ନିସିଆନ ଦୁର୍ଗା ମାଧବ ପଟେଲ, କୋକ ଓଭନ ବିଭାଗର ସିନିୟର ଟେକ୍ନିସିଆନ ଲକ୍ଷ୍ମୀକାନ୍ତ ସ୍ୱାଇଁ, କୋକ ଓଭନ ବିଭାଗର ସିନିୟର ଟେକ୍ନିସିଆନ ବିରେନ୍ଦ୍ର କୁମାର ସାହୁ, ସହର ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ ବିଭାଗର ସିନିୟର ଟେକ୍ନିସିଆନ କମ୍ ଇଲେକ୍ଟ୍ରିସିଆନ ଚିତ୍ରସେନ ଜେନା ଏବଂ ସହର ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲ ବିଭାଗର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ଉମାକାନ୍ତ ରାଉତ । ଉଲ୍ଲେଖନୀୟ ଯେ, ସୃଜନଶୀଳତାକୁ ପ୍ରୋତ୍ସାହନ ନିମନ୍ତେ ୧୯୮୯-୯୦ ମସିହାରେ ଆର୍ଏସ୍ପି ଦ୍ୱାରା ଆରମ୍ଭ ହୋଇଥିବା ସୃଜନୀ ପୁରସ୍କାର ଯୋଜନା ସାରା ଦେଶରେ ଅନନ୍ୟ ସ୍ଥାନ ଲାଭ କରିଛି ।

Related Post