Mon. Jan 6th, 2025

RSP କର୍ମଚାରୀ ନୃସିଂହ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ, ପିସ୍ତଲ ଜବତ

By amfnews Jan 15, 2019 #Featured
279 Views

ରାଉରକେଲା, ୧୫ା୧  :RSP କର୍ମଚାରୀ ନୃସିଂହ ସାହୁ ଓରଫ୍ କୈଳାସ ହତ୍ୟାକାରୀଙ୍କୁ ପ୍ରାୟ ଦୁଇ ସପ୍ତାହ ପରେ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରିଛି । ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଅତ୍ୟାଧୁନିକ ପିସ୍ତଲ ସେମାନଙ୍କ ଠାରୁ ପୋଲିସ ଉଦ୍ଧାର କରିଛି । ଘର ଖର୍ଦ୍ଦି ବିକ୍ରି ଜନିତ ଅର୍ଥ କାରବାର ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ଡିଏସ୍ପି ପି.କେ. ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ସୁନ୍ଦରଲାଲ ସିଂ ନାମକ ଜଣେ ବ୍ୟକ୍ତି ଆର୍ଏସ୍ପିର ଏଜୁକେଶନ ବିଭାଗରେ ଚାକିରୀ କରିଥିଲେ । ସିଭିକ ସେଣ୍ଟର ଓ ପରେ ସେକ୍ଟର-୧୯ ଲାଇବ୍ରେରୀରେ କାର୍ଯ୍ୟରତ ଥିବାବେଳେ କାରଖାନାରୁ ଅବସର ନେଇଥିଲେ । ଅବସର ପରେ କାରଖାନା କ୍ୱାର୍ଟର ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା । ତେଣୁ ସେ ସେକ୍ଟର ଅଞ୍ଚଳରେ କୌଣସି ଏକ ଘର କାରଖାନାରୁ ଲିଜ୍ ସୂତ୍ରରେ ନେଇ ରହିବାକୁ ଯୋଜନା କରିଥିଲେ । କୌଣସି ମତେ ନୃସଂହ ସାହୁଙ୍କ ସହ ଶ୍ରୀ ସିଂହଙ୍କ ଚିହ୍ନା ପରିଚୟ ହୋଇଥିଲେ ।

ସ୍ୱର୍ଗତ ନୃସିଂହ ତାଙ୍କୁ ସେକ୍ଟର-୭ରେ ଏକ କ୍ୱାର୍ଟର ଲିଜ୍ରେ କରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ନୃସିଂହଙ୍କ ଶ୍ୱଶୁର ବି.କେ. ସାହୁ ସେକ୍ଟର-୭ର ଏକ ଘର ସବ୍-ଲିଜ୍ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ନେଇଥିଲେ । ଶ୍ରୀ ସାହୁ କିଛି ବର୍ଷ ହେଲା ଟିଟିଲାଗଡ଼ରେ ରହୁଥିବାରୁ ସେ ଘରକୁ ସୁନ୍ଦରଲାଲଙ୍କୁ ଲିଜ୍ରେ କରାଇ ଦେବାକୁ ନୃସିଂହ ସାଜିଥିଲେ । ଦୁଇ ପକ୍ଷ ବସି ଅଢ଼େଇ ଲକ୍ଷ ଟଙ୍କାରେ ଘର ଦେବାନେବା ନିଷ୍ପତ୍ତି ହୋଇଥିଲା । ତେଣୁ ନୃସିଂହ ଜରିଆରେ ସୁନ୍ଦରସିଂହ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଘର ଚାବି ପାଇଲା ପରେ ସୁନ୍ଦରସିଂହ ସେହି ଘରର ପରିବର୍ଦ୍ଧନ କାମ ସହିତ ଅନ୍ୟାନ୍ୟ ମରାମତି ବାବଦରେ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ଘର ବାବଦରେ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ପ୍ରଥମେ ଯେଉଁ ବ୍ୟକ୍ତି କାରଖାନାରୁ ଘର ଲିଜ୍ରେ ନେଇଥିଲେ ସେ ଖବର ପାଇ ଯାଇଥିଲେ । ସୁନ୍ଦରସିଂହଙ୍କୁ ଘର ସବ୍ଲିଜ୍ରେ ଦିଆଯାଇଥିବା ସେ ଜାଣିବା ପରେ କାମ ବନ୍ଦ କରାଇ ଦେଇଥିଲେ । ଫଳରେ ସୁନ୍ଦରସିଂହଙ୍କ ଅଡ଼ୁଆ ବଢ଼ିଥିଲା । ନୃସିଂହ ଜରିଆରେ ଦିଆଯାଇଥିବା ଟଙ୍କା ଫେରସ୍ତ ପାଇଁ କଥାବାର୍ତ୍ତା ହୋଇଥିଲା । ତାଙ୍କ ଶଶୁର ଯେଉଁ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲେ ସେତିକି ଫେରାଇ ଦେବାକୁ ନୃସିଂହ ରାଜି ହୋଇଥିଲେ । ଅବଶିଷ୍ଟ କାମ ମରାମତି ବାବଦରେ ଆଉ ଯେଉଁ ସାଢ଼େ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ସେ ବାବଦରେ ନୃସିଂହ ସେମାନଙ୍କୁ ଫାଙ୍କି ଚାଲିଥିଲେ । ‘ତମେ ଇଟା, ସିମେଟ, ଟାଇଲ ଆଦି ଖୋଳି ନେଇ ଯାଅ, ତାଡ଼ି ନେଇ ଯାଅ’ କହି ସୁନ୍ଦରଲାଲଙ୍କୁ ତାତ୍ସଲ୍ୟ କରିଥିଲେ । ପୁଣି ଯେଉଁ ଅଢ଼େଇ ଲକ୍ଷ ଟଙ୍କା ତାଙ୍କ ଶ୍ୱଶୁର ନେଇଥିଲେ ସେଥିରୁ ଅଳ୍ପ କିଛି ଟଙ୍କା ଫେରାଇ ଥିଲେ ।

ଟଙ୍କା ଫେରାଇବା ପାଇଁ ନୃସିଂହ ବିଭିନ୍ନ ବାହାନା କରୁଥିଲେ । ଆଜିକାଲି କହି ୪/୫ ବର୍ଷ ହେଲା ଟଙ୍କା ଫେରାଉ ନଥିଲେ । ଓଲଟି ଧମକ ଚମକ ଦେଉଥିଲେ । ସୁନ୍ଦରଲାଲ ସିଂହଙ୍କ ପୁଅ ସୁଶାନ୍ତ ମାମଲାରେ ମୁଣ୍ଡ ପୁରାଇ ଥିଲେ । ବର୍ଷ ବର୍ଷ ଧରି ଦୌଡ଼ିଲା ପରେ ସୁଶାନ୍ତ ପ୍ରତିଶୋଧ ପରାୟଣ ହୋଇ ପଡ଼ିଥିଲା । ଘଟଣାର ଦୁଇ ଦିନ ଆଗରୁ ବାପ-ପୁଅ ଦୁହେଁ ନୃସିଂହ ଘରକୁ ଯାଇ ଟଙ୍କା ଫେରାଇବାକୁ କହିଥିଲେ । ମାତ୍ର ନୃସିଂହ ଚେକ୍ ଦେବାକୁ କହି ଫେରାଇ ଦେଇଥିଲେ । ତେଣୁ ବାରମ୍ବାର ଫେରିବା ପରେ ସୁଶାନ୍ତ ହତୋତ୍ସାହିିତ ହୋଇପଡ଼ିଥିଲା ।

ତେଣୁ ସୁଶାନ୍ତ କିଛି ଅପରାଧୀଙ୍କ ସହିତ ଯୋଗାଯୋଗ କରିଥିଲେ । ସେକ୍ଟର-୧୫ରେ ରହୁଥିବା ଅଜୟ ନାୟକ ଓରଫ୍ ଗାନ୍ଧି ଓ ସେକ୍ଟର-୧୯ର ଜଗନ୍ନାଥ ନାୟକ ସହିତ ସୁଶାନ୍ତ ଯୋଗସୂତ୍ର କରିଥିଲେ । ତିନି ଜଣ ମିଶି ନୃସିଂହଙ୍କ ଠାରୁ ଏକ ଷ୍ଟାମ୍ପ ପେପରରେ କେବେ ଟଙ୍କା ଦେବ ଲେଖାଇ ନେବାକୁ ଏକମତ ହୋଇଥିଲେ । ଯଦି ନୃସିଂହ ଟଙ୍କା ଫେରାଇବାକୁ ଏଗ୍ରିମେଣ୍ଟ ନକରନ୍ତି ଗୁଳିରେ ଉଡ଼ାଇ ଦେବାକୁ ସେମାନେ ସିଦ୍ଧାନ୍ତ କରିଥିଲେ । ୨୦୧୭ ମସିହାରେ ବିଶ୍ରା ଅଞ୍ଚଳରେ ବ୍ୟାଙ୍କ ଏଟିମ୍ରୁ ୨୫ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ଅଜୟ ଓରଫ୍ ଗାନ୍ଧି ମୁଖ୍ୟ ଅଭିଯୁକ୍ତ ଥିଲା । ସୁଶାନ୍ତ ଠାରୁ ୪୩ ହଜାର ଟଙ୍କା ନେଇ ଏକ ଦେଶୀ ଚୋରା ପିସ୍ତଲ ଯୋଗାଇ ଦେଇଥିଲେ ।

ଯୋଜନା ମୁତାବକ ସୁଶାନ୍ତ ଓ ଜଗନ୍ନାଥ ଘଟଣା ଦିନ ନୃସିଂହଙ୍କ ସେକ୍ଟର-୧ ଡି/୧୪୮ରେ ସନ୍ଧ୍ୟା ୬ଟା ବେଳେ ପହଞ୍ଚିଥିଲେ । ଅଜୟ କିଛି ବାଟରେ ଅପେକ୍ଷା କରି ରହିଥିଲା । ସୁଶାନ୍ତ ହାତରେ ଏକ ଷ୍ଟାମ୍ପ ପେପର ନେଇ ଯାଇଥିଲା । ନୃସିଂହ ଘରେ ସୁଶାନ୍ତ ଓ ଜଗନ୍ନାଥ ପଶି ଟଙ୍କା ଫେରସ୍ତ ପାଇଁ କହିଥିଲେ । ନଚେତ୍ କେବେ ଟଙ୍କା ଫେରାଇବ ଏଗ୍ରିମେଣ୍ଟ କର ବୋଲି ସୁଶାନ୍ତ ନୃସିଂହଙ୍କୁ କହିଥିଲେ । ଦୁଇ କଥାରୁ କୌଣସି ଥିରେ ନୃସିଂହ ରାଜି ହୋଇ ନଥିଲେ । ତେଣୁ ସୁଶାନ୍ତ ପିସ୍ତଲ ବାହାର କରି ତାଙ୍କ ମୁଣ୍ଡକୁ ଗୁଳି କରିଥିଲା । ଗୋଟିଏ ଗୁଳି ତାଙ୍କ ମୁଣ୍ଡରେ ପଶି ବାହାରି ଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ସେମାନେ ମୋଟର ସାଇକେଲରେ ସେଠାରୁ ଫେରାର ହୋଇ ଯାଇଥିଲେ । ପୁଲିସ ସେମାନଙ୍କ ପିଛାରେ ପଡ଼ିଥିବା ଜାଣିପାରି ସେହି ରାତିରେ ସେମାନେ ଭୁବନେଶ୍ୱର ପରେ ଗଞ୍ଜାମର ବୁଗୁଡ଼ା ଚାଲି ଯାଇଥିଲେ । ବୁଗୁଡ଼ାର କାହ୍ନୁଚରଣ ନାୟକ ଘରେ ଆଶ୍ରୟ ନେଇଥିଲେ । ସେଠାରୁ ବାଙ୍ଗାଲୋର କିମ୍ବା ସୁରଟ ଚାଲିଯିବାକୁ ଯୋଜନା କରୁଥିଲା ବେଳେ ରାଉରକେଲାରୁ ପୁଲିସ ସେମାନଙ୍କୁ ଗିରଫ କରିଥିଲା ବୋଲି ଡିଏସ୍ପି ଶ୍ରୀ ମିଶ୍ର କହିଛନ୍ତି ।

By amfnews

Related Post