Wed. Mar 11th, 2026

ଆର୍ଏସ୍ପିର ଗୁରୁତ୍ୱପୂର୍ଣ୍ଣ ବିଭାଗର ବ୍ୟାପକ ଠିକାକରଣକୁ ସିଆଇଟିୟୁର ବିରୋଧ ଏନ୍ଜେସିଏସ୍ ଓ ପେନସନ କାର୍ଯ୍ୟକାରୀ ପାଇଁ ଯୁବ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନିଅନ୍ତୁ – ସିଆଇଟିୟୁ

217 Views

ରାଉରକେଲା : ଶ୍ରମିକ ଭବନ ଠାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇ ଇସ୍ପାତ ଶ୍ରମିକଙ୍କ ନୂତନ ଏନ୍ଜେସିଏସ୍ ମଜୁରୀ ଚୁକ୍ତିନାମା ଓ ସେଲ୍ ପେନ୍ସନକୁ କାର୍ଯ୍ୟକାରୀ କରିବା ପାଇଁ ବ୍ୟାପକ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି । ବିଶେଷ କରି ଯୁବ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନ ନେଲେ ଉପଯୁକ୍ତ ମଜୁରୀ ଚୁକ୍ତିନାମା ବା ସେଲ୍ ପେନ୍ସନ କାର୍ଯ୍ୟକାରୀ କରିବାରେ ଅହେତୁକ ବିଳମ୍ବ ହେବ । ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଚୁକ୍ତିନାମା ପରେ ପେନ୍ସନ କାର୍ଯ୍ୟକାରୀ ନ ହେବା ତଥା ନୂତନ ମଜୁରୀ ଚୁକ୍ତିନାମା ପାଇଁ ୨୨ ମାସ ପରେ ମଧ୍ୟ ବୈଠକ ନ ଡାକିବା ଅତୀତରେ କେବେ ଘଟିନଥିଲା ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଆଫୋର୍ଡେବିଲିଟି ନାମରେ ସେଲ୍ରେ ଏନ୍ଜେସିଏସ୍ ନ ଡାକିବା ଇସ୍ପାତ ଶ୍ରମିକ ଆଉ ବେଶୀଦିନ ଅପେକ୍ଷା କରି ରହିପାରିବେ ନାହିଁ । ଏହା ମଧ୍ୟରେ ଆନ୍ଦୋଳନ ମାଧ୍ୟମରେ ବନ୍ଦର, ଏନ୍ଏମ୍ଡିସି ତଥା କୋଇଲା ଶିଳ୍ପରେ ୫ ବର୍ଷିଆ ଚୁକ୍ତିନାମା ସରିଛି । ବିଶେଷ କରି କୋଇଲା ଶିଳ୍ପରେ ୨୦% ଏମ୍ଜିବି କରିବା ଉଲ୍ଲେଖନୀୟ । ଗତ ବୋନସ୍ ବୈଠକରେ ସିଆଇଟିୟୁ ତରଫରୁ ପୁନଃ ଏନ୍ଜେସିଏସ୍ ଡାକିବା ଦାବି ସତ୍ତେ୍ୱ ସେଲ୍ କର୍ତ୍ତୃପକ୍ଷ କୋର୍ କମିଟି ଡାକିବାରୁ ପି.କେ. ଦାସ, ଦୁର୍ଗାପୁରର ଯୁବନେତା ବିଶ୍ୱରୂପ ବାନାର୍ଜୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ପାଇଁ ଆନ୍ଦୋଳନ କରିବାକୁ ପଡିବ । ଯେତେବେଳେ ଆନ୍ଦୋଳନ ହୋଇଛି ସେତେବେଳେ ଶ୍ରମିକ ଶ୍ରେଣୀ ତାର ଦାବି ହାସଲ କରିଛି ।

ଶ୍ରମିକମାନଙ୍କ ଏକତା ଅଭାବରୁ କର୍ତ୍ତୃପକ୍ଷ ବର୍ତ୍ତମାନ ପାଉଥିବା ସୁବିଧା ଧିରେ ଧିରେ ପ୍ରତ୍ୟାହାର କରାଯାଉଛି । ଆର୍ଏସ୍ପି କର୍ତ୍ତୃପକ୍ଷଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବ୍ୟାପକ ଠିକାକରଣକୁ ଶ୍ରୀ ମହାନ୍ତି ତୀବ୍ର ବିରୋଧ କରିଛନ୍ତି । ବିଶେଷ କରି ପ୍ଲେଟ୍ ମିଲ୍, ଟ୍ରାଫିକ୍ ବିଭାଗ, ବ୍ଲାଷ୍ଟ ଫର୍ଣ୍ଣେସ୍, କୋକ୍ ଓଭନ ଭଳି ଗୁରୁତ୍ୱପୂର୍ଣ୍ଣ ୟୁନିଟ୍ଗୁଡିକୁ ସମ୍ପୂର୍ଣ୍ଣ ଠିକାକରଣ କରିବା ଆଗାମୀ ଦିନରେ ନିଯୁକ୍ତି ତ ହେବ ନାହିଁ । ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ । କୌଣସି ଇଣ୍ଟେଗ୍ରେଟେଡ ଷ୍ଟିଲ୍ ପ୍ଲାଣ୍ଟ ଠିକାକରଣ କରି ଦୀର୍ଘକାଳୀନ ଯୋଜନା କରିପାରିବ ନାହିଁ । ତେଣୁ ସେଠାରେ ଆପ୍ରେଣ୍ଟିସମାନଙ୍କୁ ନିଯୁକ୍ତି ଦେବା ଓ ସେଠାରେ କାମ କରୁଥିବା କୁଶଳୀ ଠିକା ଶ୍ରମିକମାନଙ୍କୁ ଏସ୍-୧ର ମୂଳ ଦରମା ଦେବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ସେଲ୍ର ଉତ୍ପାଦନ ଓ ଉତ୍ପାଦକତା ବୈଠକ ଡକାଯାଉନାହିଁ । ତେଣୁ ଆଲୋଚନାର ମଧ୍ୟ ସୁଯୋଗ ସୃଷ୍ଟି ହେଉନାହିଁ । ତେଣୁ ଐକ୍ୟବଦ୍ଧ ଆନ୍ଦୋଳନହିଁ ବିକଳ୍ପ । ସାଧାରଣ ସମ୍ପାଦକ ବସନ୍ତ ନାୟକ କହିଲେ ସ୍ୱୀକୃତିପ୍ରାପ୍ତ ୟୁନିୟନର ସହାୟତାରେ କର୍ତ୍ତୃପକ୍ଷ ସ୍ୱାସ୍ଥ୍ୟ, ଶିକ୍ଷା, ସହରସେବାର ବ୍ୟାପକ ବ୍ୟବସ୍ଥା ପ୍ରତ୍ୟାହାର କରିଚାଲିଛନ୍ତି । ବିଶେଷ କରି ଆଇଜିଏଚ୍କୁ ଖୋଦ ପ୍ରଧାନମନ୍ତ୍ରୀ ମେଡିକାଲ କଲେଜ ତଥା ସୁପର ସ୍ପେସାଲିଟି ହସ୍ପିଟାଲ କରିବା କହି ୪ ବର୍ଷ ଧରି ଭଣ୍ଡାଇବା ଯେତିକି ଲଜ୍ଜାକର, ରାଜନୈତିକ ହଟଚମଟରେ ଆଇଜିଏଚ୍ ସେତିକି ଉପେକ୍ଷିତ ।

ଏଠାରେ ଡାକ୍ତର, ଷ୍ଟାଫ୍, ନର୍ସ ନାହାନ୍ତି, ଔଷଧ ମିଳୁନାହିଁ । ବିଲଡିଙ୍ଗ ପରେ ବିଲଡିଙ୍ଗ କଲେ ମେଡିକାଲ ସେବାରେ ଉନ୍ନତି ହେବ ନାହିଁ । ଆଇଜିଏଚ୍ରେ ସଠିକ୍ ଚିକିତ୍ସାମାନର ବୃଦ୍ଧି ପାଇଁ ସିଆଇଟିୟୁ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ । ବୈଠକରେ ସୁରେନ୍ଦ୍ର ମହାନ୍ତି, ରତ୍ନାକର ନାୟକ, ବାସୁଦେବ ସାହୁ, ଏନ୍.ସି. ପାତ୍ର, ଶିବରାମ ବେହେରା, ଜେ.କେ. ସାହୁ, ପି.ସି. ପ୍ରଧାନ, ପ୍ରଦୀପ ସେଠୀ, ଏସ୍.କେ. ବାରିକ, ବିଶ୍ୱରଞ୍ଜନ ମଲ୍ଲିକ, ସି.ଆର୍. ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

By amfnews

Related Post